ବିଧାନସଭାରେ ଅଚଳାବସ୍ଥା ଜାରି: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା। ଗୃହରେ ପୁଣି ହଟ୍ଟଗୋଳ ସୃଷ୍ଟି ହୋଇଛି।  ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।

ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ ବିଜେପି ବିଧାୟକମାନେ ପାଟିତୁଣ୍ଡ କରିଥିଲେ। ତେଣେ ଏମଏସପି ପ୍ରସଙ୍ଗ ଉଠାଇ ଶାସକ ବିଜେଡିର ସଦସ୍ୟମାନେ ବି ହଟ୍ଟଗୋଳ କରିଥିଲେ। ଏହାଫଳରେ ଦିନ୧୨ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏଣେ ଗୃହର ସୁପରିଚାଳନା ଲାଗି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। କିନ୍ତୁ ତାହା ସଫଳ ହୋଇନଥିଲା।

ସୂଚନାଯୋଗ୍ୟ,  ବିଧାନସଭା ଗତକାଲି ହୁଲସ୍ତୁଲ ହୋଇଥିଲା। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳୁ ନଥିବା ପ୍ରତିବାଦରେ ବିଜେପି ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିଥିଲେ। ଦିନତମାମ ଗୃହ ମଧ୍ୟ ଭାଗରେ ନାରାବାଜି କରିବାରୁ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହର ପରିସ୍ଥିତି ସ୍ବାଭାବିକ ହୋଇପାରିନଥିଲା। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନକୁ ଦେଖାଇବା ସହ କାହିଁକି ତାହାକୁ ତାଲିକାଭୁକ୍ତ କରାଗଲା ନାହିଁ ବୋଲି ପଚାରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖି ଏକ ପ୍ରଶ୍ନର ଉତ୍ତର ରଖିବାକୁ ଅର୍ଥ ମନ୍ତ୍ରୀଙ୍କୁ ଡାକିଥିଲେ। ବିଜେପି ସଭ୍ୟମାନେ ଆରମ୍ଭ କରିଦେଇଥିଲେ ନାରାବାଜି… ‘ଗଣତନ୍ତ୍ରର ହତ୍ୟା କରିବା ବନ୍ଦ କର’, ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼, ମୁଖ୍ୟମନ୍ତ୍ରୀ ତୁମେ ଜବାବ ଦିଅ’। ଏହି ସମୟରେ ବିଜେଡି ସଭ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। କେନ୍ଦ୍ରୀୟ ଅବହେଳା ବିଶେଷ କରି ଜାତୀୟ ରାଜପଥ ନିର୍ମାଣରେ ଅବହେଳା କଥା କହି ବିଜେପି ସଭ୍ୟମାନଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ୍ ଦେଇଥିଲେ। ଫଳରେ ଗୃହର ପରିବେଶ ଅଶାନ୍ତ ହୋଇପଡ଼ିଥିଲା।

Spread the love