ବହୁ ସମୟ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା

ଭୁବନେଶ୍ଵର: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ। ମାତ୍ର ଆଠ ଦିନ ଚାଲିବା ପରେ ଶୁକ୍ରବାର ଗୃହକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର ଥିଲା। ଏଥିରେ ୩୩ଟି କାର୍ଯ୍ୟ ଦିବସ ରହିଥିଲା। କିନ୍ତୁ ବହୁ ସମୟ ପୂର୍ବରୁ ଶୀତକାଳୀନ ଅଧିବେଶସ ସରି ଯାଇଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ମାତ୍ର ଆଠ ଦିନ ଚାଲି ପାରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଆଉ ସମର୍ଥନ ଜଣାଇଥିଲେ ଶାସକ ଦଳ ବିଧାୟକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗୃହୀତ କରିଛନ୍ତି ବାଚସ୍ପତି। ଶୀତ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ହି ସମୟରେ ଗୃହରେ ବିଜେପିର ସଦସ୍ୟ ଅନୁପସ୍ଥିତ ରହିଲେ।

ଶେଷ ଦିନରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ପାରିତ ହୋଇଛି ବ୍ୟୟ ମଞ୍ଜୁରୀ ବିଲ।  ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବ୍ୟୟ ମଞ୍ଜୁରୀ ବିଲ ଉପସ୍ଥାପିତ କରିଛନ୍ତି। ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପାଇଁ ବ୍ୟୟ ବରାଦ ପାରିତ ହୋଇଛି । ସେହିପରି ଉପସ୍ଥାପିତ ହୋଇଛି ୨୦୨୧-୨୨ର ସିଏଜି ରିପୋର୍ଟ ।

ଶୀତକାଳୀନ ଅଧିବେଶନ ଆରମ୍ଭରୁ ସରିବା ପର୍ଯ୍ୟନ୍ତ ଗୃହ ବେଶ ସରଗରମ ଥିଲା। ବିରୋଧୀ ଅର୍ଚ୍ଚନା ନାଗ କେସକୁ ନେଇ ସରକାରଙ୍କୁ ହରଡଘଣାରେ ପକାଇବାକୁ ଚେଷ୍ଟା କରିଥିଲେ। ଏଥିସହ ଚାଷୀ ସମସ୍ୟା, ଫସଲ ବୀମା ନମିଳିବା, ମଣ୍ଡି ସମସ୍ୟା , ଧାନ କିଣାରେ କଟନୀ ଛଟନୀ, ଦାଦନ ସମସ୍ୟା, ବେକାରୀ ସମସ୍ୟା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ବି ବିଧାନସଭାରେ ଉଠାଇଥିଲେ। ଅଧିବେଶନ ଆରମ୍ଭ ହେବା ଦିନଠୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିବାକୁ ପଡିଥିଲା। ଏହି ସମୟରେ ବିଧାନସଭା ସମ୍ମୁଖରେ ସ୍ଥିତ ଲୋୟର ପିଏମଜିରେ ଶିକ୍ଷକଙ୍କ ଦାବି ଜୋରଦାର ଜାରି ରହିଛି।

Spread the love