ଜାତୀୟ ଫୁଟବଲ ରେଫରି ଅଶ୍ବିନୀ ପଟ୍ଟନାୟକଙ୍କ ପରଲୋକ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଜାତୀୟ ଫୁଟବଲ ରେଫରି ଅଶ୍ବିନୀ ପଟ୍ଟନାୟକଙ୍କ ୭୬ ବର୍ଷ ବୟସରେ ପରଲୋକ ହୋଇଛି। ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଟାଉନ ରଙ୍ଗାଢ଼ିପାସ୍ଥ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ୧୯୪୭ ମସିହା ମେ’ ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଜିଲ୍ଲାର ପ୍ରଥମ ଜାତୀୟ ଫୁଟବଲ ରେଫରି ହେବାର ଗୌରବ ଅର୍ଜନ କରିଥିଲେ। ପରେ ଅନେକଙ୍କୁ ଫୁଟବଲ ରେଫରି ହେବାକୁ ପ୍ରେରିତ କରିଥିଲେ। ତାଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ପରବର୍ତ୍ତୀ ସମୟରେ ଜିଲ୍ଲାରେ ଭାସ୍କର ନନ୍ଦ, ପ୍ରଶାନ୍ତ ପାଲ, ଦୁର୍ଗାମାଧବ ନାଏକଙ୍କ ଭଳି ଏକାଧିକ ଜାତୀୟ ରେଫରିଙ୍କ ସମେତ ଶତାଧିକ ଜାତୀୟସ୍ତରର ଫୁଟବଲ ଖେଳାଳି ସୃଷ୍ଟି ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀ ପଟ୍ଟନାୟକ ଜଣେ ସେବାନିବୃତ୍ତ ସରକାରୀ ଅଧିକାରୀ ଥିଲେ। ୨୦୦୫ ମସିହାରେ ବଡ଼ବିଲ ସବ୍‌ଟ୍ରେଜେରି ଅଧିକାରୀଭାବେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ସେ ବିଭିନ୍ନ ଫୁଟବଲ କ୍ଲବ ସହ ଜଡ଼ିତ ହୋଇ ଏହି ଖେଳର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଧିକାରୀ ଦାୟିତ୍ବ ତୁଲାଇଥିଲେ। ତାଙ୍କ ବିୟୋଗରେ ଜିଲ୍ଲା କ୍ରୀଡ଼ା ସଂସଦ, ରାଉରକେଲା ସ୍ପୋର୍ଟସ ଆସୋସିଏସନ, ସେବାନିବୃତ୍ତ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Spread the love