ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ, ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଜଳେଶ୍ୱରରେ ମେଳି
ରାଜ୍ୟ ମନ୍ତ୍ରୀମଣ୍ଡଳର ଦୁଇ ମନ୍ତ୍ରୀ ହଟହଟା । ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ଛାତ୍ର ସଂସଦ ନିର୍ବାଚନ କାହିଁକି କରାଯାଉନାହିଁ ସେନେଇ ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ସେପଟେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଜଳେଶ୍ୱରରେ ବଡ଼ ଧରଣର ମେଳି ହୋଇଛି । ୫୦୦ରୁ ଅଧିକ ବିଜେଡି କର୍ମୀ ତାଙ୍କୁୁ ବିରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଦାବି ଜୋର ଧରିଛି । କଲେଜ ଇଲେକ୍ସନ୍ ବନ୍ଦ’ର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଏହି କ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଘର ଆଗରେ ଛାତ୍ର କଂଗ୍ରେସ କର୍ମୀ ଅଣ୍ଡାମଡ଼ କରି ଏହି ପ୍ରତିବାଦ କରିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟପଟେ ଜଳେଶ୍ୱରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ବିରୋଧ କରି ବଡ଼ ଧରଣର ମେଳି ହୋଇଛି । ୫୦୦ରୁ ଅଧିକ ବିଜେଡ଼ି କର୍ମୀ ଏକାଠି ହୋଇ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ବିରୋଧ କରିଛନ୍ତି । ଏହି ମେଳିରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୩୫ଟି ପଞ୍ଚାୟତ ଓ ବସ୍ତା ବ୍ଲକର ୭ଟି ପଞ୍ଚାୟତର କର୍ମୀମାନେ ଯୋଗ ଦେଇ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ନାରାବାଜି କରିଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଳେଶ୍ୱର ବିଜେଡ଼ିରେ ଗୋଷ୍ଠୀ କନ୍ଦଳର ଚିତ୍ର ସାମ୍ନାକୁ ଆସିଛି ।