ଯୋଜନାର ପରିବର୍ତ୍ତନ କଲେ ସମସ୍ୟା ତୁଟେନି କି ଲୋକଙ୍କ ପେଟ ପୂରେନି : ଅତନୁ

 ଚାଉଳ ଓ ଗହମ ଦେବା ସମୟରେ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ବା ଏନଏଫଏସଏ ଲେଖାଥିବା ପ୍ରିଂଟ ଲୋକଙ୍କୁ ଦେବାକୁ ପଡ଼ିବ । ଏହାସହ ଏହି ଚାଉଳ ଓ ଗହମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଏଥିରେ ଦର୍ଶାଇବାକୁ ପଡ଼ିବ । ଜାତୀୟ ଖାଦ୍ୟ ସୁରକ୍ଷା ଯାଜନା ପାଇଁ ଅଲଗା ରସିଦ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅଲଗା ରସିଦ ରହିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟରେ ୩ କୋଟି ୨୫ ଲକ୍ଷ ଲୋକଙ୍କ ଚାଉଳରେ ମୋଦୀ ସରକାର ଷ୍ଟିକରିଂ କରିବେ । ସେହିପରି ରାଜ୍ୟ ସରକାର ୯ ଲକ୍ଷ ଲୋକଙ୍କ ଚାଉଳରେ ଷ୍ଟିକରିଂ କରନ୍ତୁ ବୋଲି ଅପରାଜିତା କହିଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବର୍ଷିଛି ବିଜେଡି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସ୍କିମର ନାଁ ପରିବର୍ତ୍ତନ କରିଦେଲେ ଲୋକଙ୍କ ସମସ୍ୟା ତୁଟି ଯାଏନି କି ଲୋକଙ୍କର ପେଟ ପୁରିଯାଏନି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଭାରତ ବର୍ଷର ଗରିବ ଲୋକଙ୍କୁ ଯେଉଁ ଚାଉଳ ଦିଆଯାଉଛି ତାର କେବଳ ନାଁ ପରିବର୍ତ୍ତନ କରିବାର ଗୋଟେ ବ୍ୟବସ୍ଥା ଦିଲ୍ଲୀରେ କରାଯାଇଛି । ଏହାବ୍ୟତୀତ ଆଉ କିଛି ପରିବର୍ତ୍ତନ କରାଯାଇ ନାହିଁ । ଲୋକଙ୍କର ଅଧିକ କିଛି ଉପକାର ହେଇ ଯାଉନି । କେବଳ ରାଜନୀତିର ବାସ୍ନା ହିଁ ଜଳ ଜଳ ଦିଶୁଛି ଓ ଅନୁଭବ କରି ହେଉଛି ।

 ସବୁଠୁ ବଡ ପ୍ରଶ୍ନ ଉଠୁଛି ଏନଏଫଏସରେ ଯେଉଁ ପଏଣ୍ଟ ଉପରେ ହିତାଧିକାରୀଙ୍କ ସଂଖ୍ୟା ବଢି ଚାଲିଛି ଆମେ ତାକୁ ଅଧିକ କରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରୁଛୁ । ସେଥିପ୍ରତି ଦୃଷ୍ଟି ଦିଆଯାଇନି । ଏହାଭିତରେ ଜନସଂଖ୍ୟା ବଢିଛି । କିନ୍ତୁ ପୁରୁଣା ଜନଗଣନା ହିସାବରେ ହିତାଧିକାରୀ ଚୟନ ହୋଇଛି । ଯାହାଦ୍ୱାରା ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ସେଥିପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ଆମେ ଲୋକଙ୍କୁ ଚାଉଳ ଦେଉଛି । ଯଦି ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଲୋକଙ୍କ ସମସ୍ୟା ଦୂର ପାଇଁ କିଏ କାମ କରୁଛି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୮ ରୁ ମୁଖ୍ୟମନ୍ତ୍ରୀ ଟଙ୍କିକିଆ ଚାଉଳ ଦେବା ଆରମ୍ଭ କରିଛନ୍ତି । ସେ ସମୟରେ କେହି ଦୃଷ୍ଟି ଦେଉ ନାହନ୍ତି । ଆଉ ଗୋଟିଏ କଥା କୋଭିଡର ପ୍ରଭାବ କମିନଥିଲେ ବି କୋଭିଡ ପାଇଁ ମିଳୁଥିବା ୫ କେଜି ଚାଉଳ କୁ କାଟି ଦେଇଛନ୍ତି । କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳର ନାମ ପରିବର୍ତ୍ତନ କରିଦିଆଯାଇଛି । ଯାହା କି ଗ୍ରହଣୀୟ ନୁହେଁ ।
Spread the love