ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କରାଇବାକୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅତିକର ଭଉଣୀ

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦ ଓ ତାଙ୍କ ଭାଇ ଅସରଫ ଅହମ୍ମଦର ହତ୍ୟା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଅତିକର ଭଉଣୀ | ଅତିକର ଭଉଣୀ ଆୟେଶା ନୁରୀ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି କହିଛନ୍ତି ଯେ ତାଙ୍କ ଭାଇ ଅତିକ ଅହମ୍ମଦ ଏବଂ ଅସରଫ ଅହମ୍ମଦଙ୍କ ହତ୍ୟା ଘଟଣାର ସଠିକ ତଦନ୍ତ କରାଯାଉ | ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ତାଙ୍କ ପିଟିସନରେ ଅତିକଙ୍କ ପୁଅ ଆସାଦଙ୍କ ଏନକାଉଣ୍ଟରକୁ ମଧ୍ୟ ସନ୍ଦେହଜନକ ବୋଲି ଆୟେଶା କହିଛନ୍ତି । ତାଙ୍କ ଆବେଦନରେ ଆୟେଶା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରିବାକୁ ଦାବି କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଏହି ମାମଲାରେ ବିଶାଲ ତିୱାରୀ ନାମକ ଜଣେ ଓକିଲଙ୍କ ପିଆଇଏଲ ଉପରେ ଏପ୍ରିଲ ୨୮ରେ ଉତ୍ତରପ୍ରଦେଶ ସରକାରଙ୍କ ଅନୁସନ୍ଧାନକୁ ନେଇ ସୁପ୍ରିମକୋର୍ଟ ଏକ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ। ଜୁଲାଇ ୩ରେ, ଏହି ପିଆଇଏଲ ବାବଦରେ ଶୁଣାଣି ହେବ |

ଉଲ୍ଲେଖ ଥାଉ କି ଉତ୍ତରପ୍ରଦେଶର ପ୍ରୟାଗରାଜ ମେଡିକାଲ କଲେଜ ପରିସରରେ ସାମ୍ବାଦିକମାନେ ଅତିକ୍‌କୁ ପ୍ରଶ୍ନ କରୁଥିବା ବେଳେ ଏପ୍ରିଲ ୧୫ରେ ପୁଲିସ ବାହିନୀ ଉପସ୍ଥିତିରେ ୩ ଜଣ ସୁଟର ଗୁଳିମାରି ଅତିକ ଓ ତା’ ଭାଇକୁ ହତ୍ୟା କରିଥିଲେ । ଏହି ହତ୍ୟା ମାମଲାର ୩ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏହି ହତ୍ୟା ମାମଲାରେ ଲଭଲେଶ ତିୱାରୀ, ସନ୍ନି ସିଂ ଏବଂ ଅରୁଣ ମୋୖର୍ଯ୍ୟଙ୍କୁ ଗିରଫ କରାଯାଇଥିଲା | ତେବେ ସନ୍ଧ୍ୟାରେ ଅତିକ ଅହମ୍ମଦକୁ ହତ୍ୟା କରାଯାଇଥିବାବେଳେ ସେହିଦିନ ସକାଳେ ପୁଲିସ ଏନକାଉଣ୍ଟରରେ ଅତିକର ପୁଅ ଆସାଦର ମୃତ୍ୟୁ ହୋଇଯାଇଥିଲା |

Spread the love