ମୃତ୍ୟୁ ପୂର୍ବରୁ ଅତିକର ଶେଷ ବାକ୍ୟ ‘ମୋତେ ‌ନେଲେ ନାହିଁ, ତେଣୁ ମୁଁ ଗଲି ନାହିଁ’

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଅତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଅଣାଯାଉଥିବା ବେଳେ ତିନିଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଅସରଫ ଓ ଅତିକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁହେଁ ଗଣମାଧ୍ୟମ ସହିତ କଥା ହେଉଥିବା ଦେଖିବାକୁ ମିଳିଛି। ତେବେ ଅତିକର ମୃତ ପୂର୍ବରୁ ଶେଷ ବାକ୍ୟ ଥିଲା। ‘ମୋତେ ‌ନେଲେ ନାହିଁ, ତେଣୁ ମୁଁ ଗଲି ନାହିଁ।’

ଅତିକ ଓ ତା’ ଭାଇକୁ ଧୂମନଗଞ୍ଜ ଥାନାରୁ ମେଡିକାଲ ଯାଞ୍ଚ ପାଇଁ ଡାକ୍ତରଖାନା ନିଆଯାଇଥିଲା। ଯାଞ୍ଚ ପରେ ସେମାନଙ୍କୁ ହସ୍ପିଟାଲ ବାହାରକୁ ଅଣାଯିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଦୁହିଁଙ୍କୁ ଘେରିଯାଇ ପ୍ରଶ୍ନ କରିଥିଲେ। ଏହି ସମୟରେ ସୁଟରମାନେ ସାମ୍ବାଦିକ ବେଶରେ ସମ୍ମୁଖଭାଗରେ ରହି ଅତିକ ଓ ଅସରଫକୁ ଟାର୍ଗେଟ କରିଥିଲେ।

ସାମ୍ବାଦିକମାନେ ଅତିକକୁ ପଚାରିଥିଲେ ତୁମେ ପୁଅର ଅନ୍ତିମ ସଂସ୍କାରରେ ଗଲ ନାହିଁ? ଏହାର ଉତ୍ତରେ ଅତିକ ପୁଲିସକୁ ଆକ୍ଷେପ କରି କହିଥିଲା, ‘ମୋ‌ତେ ନେଲେ ନାହିଁ ତେଣୁ ମୁଁ ଗଲି ନାହିଁ।’

ଅତିକ୍‌ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ସାମ୍ବାଦିକ ବେଶରେ ଥିବା ଜଣେ ସୁଟର ପ୍ର‌ଥମ ଗୁଳି ଚଳାଇଥିଲା। ପୁଲିସ କିଛି ବୁଝିବା ପୂର୍ବରୁ ଅନ୍ୟ ସୁଟରମାନେ ଅତିକ ଓ ତା ଭାଇ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଦୁଇ ଭାଇ ଏଥିରେ ଟଳି ପଡ଼ିଥିଲେ।

ଏହି ଘଟଣା ଉତ୍ତରପ୍ରଦେଶ ସମେତ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁଟରମାନେ ପ୍ରାୟ ୧୦ ରାଉଣ୍ଡ୍‌ ଗୁଳି ଚାଳନା କରିଥିବା ସୂଚନା ରହିଛି।

Spread the love