ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ ସହ କାର ଲୁଟ

ଦେବଗଡ: ଆଜି  ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ବରଘାଟ ଅଞ୍ଚଳରେ ଜଣେ କାର ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣ ସହ କାର ଲୁଟ ଉଦ୍ୟମ କରିଥିବା ଏକ ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ଦେବଗଡ ସ୍ପେଶାଲ ପୋଲିସ ସ୍କ୍ୱାର୍ଡ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମର ଅଶୋକ ମହାକୁଳ, ସମୀର ପେଣ୍ଠଇ ଓ ଶଙ୍କର ପେଣ୍ଠଇ ନାମକ ତିନିଜଣ ଯୁବକ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ଦୁଆନପାଲି ଅଞ୍ଚଳର ପ୍ରେମଚାନ୍ଦ ପ୍ରସାଦଙ୍କ ସୁଇଫ୍ଟି ଡିଜାୟାରକୁ ଦେବଗଡରେ ଛାଡିବା ପାଇଁ ଭଡାରେ ଆଣିଥିଲେ ।

ଉକ୍ତ ଯୁବକ ମାନେ କାରକୁ ଲୁଟ କରିବା ଉଦ୍ଦେଶ୍ୟରେ ୪୯ ନମ୍ବର ଜାତୀୟ ରାଜପଥର ଚଟି ବରଘାଟ ଗ୍ରାମ ନିକଟରେ ଡ୍ରାଇଭର୍ କୁ ଛୁରୀ ଦେଖାଇ ଅଟକାଇ ଥିଲେ । ପରେ ଡ୍ରାଇଭର୍ କୁ ତିନି ଯୁବକ ଛୁରୀରେ ମରଣାନ୍ତକ ଆକ୍ରମଣ କରିବା ପରେ ସେ ମରିଯାଇଥିବା ଭାବି ଦେଓଝରଣ ନିକଟରେ ଫୋପାଡି ଦେଇଥିଲେ । ସେହିପରି ଚୋରୀ ସୁଇଫ୍ଟ ଡିଜାୟାର କାରକୁ ବିକ୍ରି ପାଇଁ ଫୋନରେ ଗ୍ରାହକ ଯୋଗାଡ କରୁଥିବା ବେଳେ ସଂଯୋଗ ବଶତଃ ଦେବଗଡ ପୋଲିସ ର ସ୍ପେଶାଲ ସ୍କ୍ବାର୍ଡ ହାବୁଡ଼ରେ ପଡିଥିଲେ ।

ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ଵରେ ପୋଲିସ ବାହିନୀ ଚୋରୀ କାର ସହ ତିନି ଅଭିଯୁକ୍ତଙ୍କୁ ୪୯ ନମ୍ବର ଜାତୀୟ ରାଜପଥର ବୁକାବେଡା ନିକଟରେ କାବୁ କରି ଜେରା କରିବା ବେଳେ ସେମାନେ ଡ୍ରାଇଭର୍ କୁ ମାରି ଦେଓଝରଣ ନିକଟରେ ଫୋପାଡି ଦେଇଥିବା ସୂଚନା ଦେଇଥିଲେ ।

କାରର ଡ୍ରାଇଭର୍ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଦୁଆନପାଲି ଅଞ୍ଚଳର ରାଜୁ ଖାନ ଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପକ୍ଷରେ ଚୋରୀ କାର ସହ ଗିରଫ ତିନି ଅଭିଯୁକ୍ତ ଅଶୋକ, ସମୀର ଓ ଶଙ୍କରଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଅଧିକ ପଚରାଉଚୁରା ଜାରି ରହିଛି । ଦେବଗଡ ଏସପି ରାଜକିଶୋର ପାଇକରାୟ ଖୋଦ୍ ନିଜେ ଥାନା ରେ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି ।

Spread the love