ସୋରରେ ଚାଞ୍ଚଲ୍ୟ: ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ବାଲେଶ୍ବର ଜିଲ୍ଲା ସୋର ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କୁ ସୋର ଥାନା ନିକଟରେ ତେଲେଙ୍ଗା କଟୁରିରେ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଶ୍ରୀ ରାଉତ ପ୍ରତିଦିନ ଭଳି ଆଜି ମଧ୍ୟ ଭୋର ସମୟରେ ନିଜ ଘରୁ ବାହାରି ମର୍ଣ୍ଣିଂ ୱାକରେ ଚାଲିଚାଲି ଯାଉଥିବା ସମୟରେ ବାଇକ ଯୋଗେ ଦୁଇଜଣ ଅଜଣା ଯୁବକ ଆସି ପଛପଟୁ ଆକ୍ରମଣ କରି ଚମ୍ପଟ ମାରିଥିଲେ। ସବୁଠାରୁ ବଡ଼ କଥା ହେଲୋ ଯେ ଦୁର୍ବୃତ୍ତମାନେ ସୋର ଥାନାରୁ ମାତ୍ର ୧୦ ମିଟର ଦୂରରେ ଏଭଳି କାଣ୍ଡ ଭିଆଇଛନ୍ତି। ସ୍ଥାନୀୟ ଲୋକେ ଲୋକନାଥ ରାଉତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଶ୍ରୀ ରାଉତଙ୍କୁ ଡାକ୍ତର ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି।

ରାଜନୈତିକ ଶତ୍ରୁତା କାରଣରୁ ବିଜେପି ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ୱାମୀ ଲୋକନାଥ ରାଉତଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆହୁରି ମଧ୍ୟ ଜଣାଯାଇଛି ଯେ ସେ ଜଣେ ବସ୍ ମାଲିକ ଓ ପ୍ରତିଷ୍ଠିତ ବ୍ୟବସାୟୀ। ତେବେ ଏହି ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। କିନ୍ତୁ ଏହି ଘଟଣା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଣେ ସୋର ଥାନାର ଅନତି ଦୂରରେ ଏଭଳି କାଣ୍ଡ ଘଟିଥିବା ହେତୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

Spread the love