ପାକିସ୍ତାନ : ହିନ୍ଦୁ ମନ୍ଦିର ଉପରେ ରକେଟ୍ ଲଞ୍ଚର ମାଧ୍ୟମରେ ଆକ୍ରମଣ

ଇସଲାମାବାଦ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଥିବା କାଶମୋରରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଏକ ଡକାୟତ ଗ୍ୟାଙ୍ଗ ରକେଟ୍ ଲଞ୍ଚର ରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ସଶସ୍ତ୍ର ଲୁଟେରାମାନେ ମହିଳା ଓ ଶିଶୁଙ୍କ ସମେତ  ପ୍ରାୟ ୩୦ ଜଣ ହିନ୍ଦୁଙ୍କୁ କିଛି ସମୟ ବନ୍ଧକ ରଖିଥିବା ସୂଚନା ମିଳିଛି ।

ଗୌସପୁର ଥାନା ଅଧୀନରେ ଥିବା ଏକ ଉପାସନାସ୍ଥଳୀ ଓ ଆଖପାଖ ସମ୍ପ୍ରଦାୟର ଘରେ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ ଓ ମହିଳା ଓ ଶିଶୁମାନଙ୍କୁ ବନ୍ଧକ ରଖିଥିଲେ । ଖବର ପାଇ କାସମୋର-କନ୍ଧକୋଟ ଏସଏସପି ଇରଫାନ ସମମୋଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁଲିସ ଆସିବା ପରେ ଅପରାଧୀମାନେ ପଳାଇଯାଇଥିଲେ ।

ପାକିସ୍ତାନର ଡନ୍ ଖବରକାଗଜର ରିପୋର୍ଟ ଅନୁଯାୟୀ, ଡକାୟତମାନେ ମନ୍ଦିର ଉପରକୁ ରକେଟ୍ ଲଞ୍ଚର ମାଡ଼ କରିଥିଲେ, ଯାହାକି ଆକ୍ରମଣ ସମୟରେ ବନ୍ଦ ଥିଲା । ବାଗରୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଧାର୍ମିକ ସେବା ପାଇଁ ପ୍ରତିବର୍ଷ ଏହା ଖୋଲାଯାଇଥାଏ । ଆକ୍ରମଣ ପରେ ସନ୍ଦିଗ୍ଧ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚଳାଇଛି। ଏସଏସପି ସାମ୍ମୋ ଆକଳନ କରିଛନ୍ତି ଯେ ଡକାୟତ ଦଳରେ ୮ରୁ ୯ ଜଣ ବନ୍ଧୁକଧାରୀ ଥିଲେ ।

Spread the love