ଋଷକୁ ବକ୍ସାଇଟ୍‌ ଓ ଅଲୁମିନା ଦେବନି ଅଷ୍ଟ୍ରେଲିଆ

କିଭ୍: ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ଋଷ। ଉଭୟ ଦେଶ ମଧ୍ୟରେ ବାରମ୍ବାର ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଋଷ କିନ୍ତୁ ଆକ୍ରମଣ ରୋକିବାର ନାଁ ଧରୁ ନାହିଁ। କେତେବେଳେ ବୋମା ଫିଙ୍ଗୁଛି ତ ଆଉ କେତେବେଳେ ସୁପରସୋନିକ ମିସାଇଲ୍ ମାଡ଼ କରୁଛି। ଯୁଦ୍ଧ ଅଟକାଉ ନଥିବାରୁ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏବେ ଅଷ୍ଟ୍ରେଲିଆ ଆଉ କିଛି ନୂଆ ପ୍ରତିବନ୍ଧକ ଲଗାଇଛି।

ଋଷକୁ ଆଉ ଅଲୁମିନା ଓ ବକ୍ସାଇଟ୍ ରପ୍ତାନୀ କରିବ ନାହିଁ ବୋଲି ଅଷ୍ଟ୍ରେଲିଆ ଘୋଷଣା କରିଛି। ତୁରନ୍ତ ଏହି ବ୍ୟାନ୍ ନିର୍ଦ୍ଦେଶ ଲାଗୁ କରିବା ସହିତ ମାନବିକତା ଦୃଷ୍ଟିରୁ ୟୁକ୍ରେନ୍‌ ଅଧିକ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ ବୋଲି ରବିବାର ଅଷ୍ଟ୍ରେଲିଆ ସରକାର ସୂଚନା ଦେଇଛନ୍ତି।

ଅଷ୍ଟ୍ରେଲିଆରୁ ଏସବୁ କଞ୍ଚା ମାଲ ନେଇ ଋଷ ଆଲୁମିନିୟମ ଉତ୍ପାଦନ କରୁଥିଲା।  ଏବେ ଅଲୁମିନିୟର ଉତ୍ମପାଦନ କମାଇବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଅଲୁମିନା ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି ବୋଲି କୁହାଯାଉଛି। ସୂଚନା ଥାଉକି ଋଷ ମାତ୍ର ୨୦ ପ୍ରତିଶତ ଆଲୁମିନିୟମ ପାଇଁ ଅଷ୍ଟ୍ରେଲିଆ ଉପରେ ନିର୍ଭର କରେ। ଏବେ ଅଷ୍ଟ୍ରେଲିଆ ବ୍ୟାନ ଲଗାଇବା ପରେ ଋଷ ପାଇଁ ଆଲୁମିନିୟମ୍‌ରେ ଉତ୍ପାଦନରେ ସମସ୍ୟା ସୃଷ୍ଟି ହୋଇପାରେ।

ଏପଟେ ଋଷ ଆକ୍ରମଣରେ ୟୁକ୍ରେନ୍ ୮୫ ପ୍ରତିଶତ ସହର କୋଠାବାଡ଼ି ନଷ୍ଟ ହୋଇଗଲାଣି। ହଜାର ହଜାର ସେନା ଯବାନ ଓ ଲୋକଙ୍କର ଜୀବନ ଗଲାଣି। ଏବେ ପୁଣି ପୁଟିନ ନ୍ୟୁକ୍ଲିୟର ଇଭାକୁଏସନ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ଖବର ମିଳିଛି। ଖବର ବ୍ୟାପିବା ପରେ ବିଶ୍ୱର ପରମାଣୁ ଯୁଦ୍ଧ ଘନେଇଲାଣି। ଏହାରି ଭିତରେ ଋଷ ବିରୋଧରେ ବାହାରିବାକୁ ଚୀନକୁ ଆମନ୍ତ୍ରଣ କରିଛି। ପଶ୍ଚିମ ଦେଶ ସହିତ ସାମିଲ୍ ହୋଇ ଚୀନ ଋଷର ନୃଶଂସତାକୁ ପ୍ରତିରୋଧ କରୁ ବୋଲି ୟୁକ୍ରେନ୍ କହିଛି।  

ୟୁକ୍ରେନ୍‌ରେ ଯୁଦ୍ଧ ଲାଗି ରହିଥିବାରୁ ଏପର୍ଯ୍ୟନ୍ତ ୩.୩ ମିଲିୟନ ଶରଣାର୍ଥୀ ୟୁକ୍ରେନ୍ ଛାଡ଼ି ଅନ୍ୟ ଦେଶରେ ଆଶ୍ରା ନେଇଛନ୍ତି। ଏନେଇ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପାଖାପାଖି ୬.୫ ମିଲିୟନ ଲୋକେ ଦେଶରେ ହିଁ ସୁରକ୍ଷିତ ଢଙ୍ଗରେ ରହିବାକୁ ଈଚ୍ଚା ପ୍ରକାଶ କରିଥିବା ଜାତିସଂଘ ରିପୋର୍ଟରେ କହିଛି।

ଏପଟେ ସୁଇସ ରାଲିରେ ସୁଇସ୍ ବ୍ୟାଙ୍କ ସମେତ ନେସଲେ କମ୍ପାନୀ ଉପରେ ବର୍ଷିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି। ଆମ ପିଲାମାନେ ଏଠି ମରୁଛନ୍ତି ଅଥଚ ନ୍ୟାସ୍‌ଲେ ପୂର୍ବ ଭଳି ଋଷରେ ତାର ବ୍ୟବସାୟ ଜାରି ରଖିଛି ବୋଲି ଜେଲେନ୍‌ସ୍କି କହିଛନ୍ତି। କେବଳ ସେତିକି ନୁହେଁ, ସୁଇସ୍‌ ବ୍ୟାଙ୍କ ତାର ସମସ୍ତ ବ୍ୟାଙ୍କ ଋଷରେ ବନ୍ଦ କରୁ ଓ ସହବନ୍ଧିତ ବିଭିନ୍ନ ବ୍ୟାଙ୍କରୁ ଋଷର ଫଣ୍ଡସବୁକୁ ଫ୍ରିଜ୍ କରାଯାଉ ବୋଲି ଜେଲେନ୍‌ସ୍କି ଦାବି କରିଛନ୍ତି।

Spread the love