ଅଭିନନ୍ଦନଙ୍କ ଏଫ୍‌-16 ଆକ୍ରମଣ ନେଇ ପଚରାଉଚରା

ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନ ପାକିସ୍ତାନ ବିମାନ ଏଫ୍‌-16କୁ ଧ୍ୱଂସ କରିଥିଲେ। ଏଥିପାଇଁ ସେ ଆର୍‌-୭୩ କ୍ଷେପଣାସ୍ତ୍ରର ଉପଯୋଗ କରିଥିଲେ। ତେବେ ଅଭିନନ୍ଦନଙ୍କ ସୁରକ୍ଷା ପାଇଁ ଯାଇଥିବା ସୁଖୋଇ-30 ଏବଂ ମିରାଜ୍‌-2000 ଯୁଦ୍ଧବିମାନ ପାଖରେ ଲଙ୍ଗ୍‌ ରେଞ୍ଜ୍‌ କ୍ଷେପଣାସ୍ତ୍ର ଥିବା ସତ୍ତ୍ୱେ ସମ୍ପୃକ୍ତ ବିମାନର ପାଇଲଟ୍‌ କାହିଁକି ଏହାର ବ୍ୟବହାର କଲେ ନାହିଁ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଯୁଦ୍ଧ ସମୟରେ ଫାଇଟର ପାଇଲଟ୍‌ ଅତି ନିକଟରୁ ଶତ୍ରୁ ଉପରେ ଆକ୍ରମଣ କରିଥାନ୍ତି। ତେବେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇ ନ ଥିଲେ ମଧ୍ୟ ଅଭିନନ୍ଦନ କାହିଁକି ନିକଟରୁ ଆକ୍ରମଣ କରିଥିଲେ। ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିସ୍ଥଳେ ହୁଏତ ସୁଖୋଇ-30 ଏବଂ ମିରାଜ-2000ରେ ଥିବା ଲଙ୍ଗ୍‌ ରେଞ୍ଜ୍‌ କ୍ଷେପଣାସ୍ତ୍ରର ଉପଯୋଗ କରାଯାଇପାରିଥାନ୍ତା ବୋଲି କୁହାଯାଉଛି।

ଅଭିନନ୍ଦନ ତାଙ୍କ ମିଗ୍‌-21ରୁ ଖସିପଡ଼ିଥିବା ଦେଖି ମଧ୍ୟ ସୁଖୋଇ ଓ ମିରାଜ ପାଇଲଟ ଆବଶ୍ୟକ ପଦକ୍ଷେପ ନେବାକୁ ପଛାଇଥିଲେ କାହିଁକି ତାହା ଏବେ ସୃଷ୍ଟି କରିଛି ଆଲୋଡ଼ନ। ବାୟୁସେନା ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପଚରାଉଚରା। ସେ କିଭଳି ଏବଂ କେଉଁ ପରିସ୍ଥିତିରେ ଏଫ୍‌-16 ଉପରେ ଆକ୍ରମଣ କରିଛନ୍ତି ଏବଂ ଏହା ପର ଘଟଣାର ଯାଞ୍ଚ୍‌ ବାୟୁସେନା ପକ୍ଷରୁ କରାଯାଉଛି।

Spread the love