୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିର ହେବ ପ୍ରତିଷ୍ଠା

ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା। ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଗର୍ଭ ଗୃହରେ ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନା ହେବ। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ। ଆଜି ଏହି ଟ୍ରଷ୍ଟର କର୍ମକର୍ତ୍ତାମାନେ ମୋଦିଙ୍କୁ ତାଙ୍କ ବାସଭବନରେ ଭେଟି ନିମନ୍ତ୍ରଣ କରିଛନ୍ତି। ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ନିମନ୍ତ୍ରଣ ପାଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି। ନିଜ ଜୀବନ କାଳ ଭିତରେ ଏଭଳି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି ଯେ, ଜାନୁଆରୀ ୨୨ରେ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହେବ। ୨୦୧୯ରେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମନ୍ଦିର ନିର୍ମାଣ ରାସ୍ତା ପରିଷ୍କାର ହୋଇଥିଲା। ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ସମସ୍ତ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରିଥିଲେ। ୨୦୨୦ ଅଗଷ୍ଟ ୫ ତାରିଖରେ ମନ୍ଦିରର ଶିଳାନ୍ୟାସ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଥିଲେ।

Spread the love