ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳ

ଭଦ୍ରକ :  ଗତ ୨ବର୍ଷର କରୋନା କଟକଣା  ପରେ ଚଳିତ ବର୍ଷ ଆସନ୍ତା ଜୁନ ୪ରେ ମହାଆଡମ୍ବ ସହ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳନ କରାଯିବ ।  ଏଥିପାଇଁ ଗତକାଲି  ପବିତ୍ର ଚନ୍ଦନପୂର୍ଣ୍ଣିମାରେ  ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅପରାହ୍ଣରେ ଅନୁଷ୍ଠିତ ହୋଇଥିଲା ।ଏହାପରେ ମନ୍ଦିର ଦ୍ୱାରଫିଟା ନୀତି ସରିବା ପରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଦେବଦମ୍ପତିଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢୀ ବରପିତା ଭାବେ ଚୟନ ହୋଇଥିଲେ । ସେହିପରି କନ୍ୟାପିତା ଭାବେ  ବ୍ରହ୍ମପୁର ଜିଲ୍ଲା  ନିବାସୀ ଚନ୍ଦ୍ରଶେଖର ଦାଶ ଚୟନ ହୋଇଛନ୍ତି ।ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ସୀମିତ ସେବାୟତଙ୍କ ଗହଣରେ ବିବାହ ସମ୍ପନ୍ନ କରାଯାଇଥିଲା । ହେଲେ  ଚଳିତବର୍ଷ ଭକ୍ତଙ୍କୁ ଏହି ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ଭକ୍ତଙ୍କ ଗହଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ।  ଲଗ୍ନ ଚିଟାଉ ଥାଳ ଉଠା ନୀତି ପାଇଁ ଗତକାଲି ବରପିତା ଦୁଷ୍ମନ୍ତ ପାଢୀ ନିଜର ଜ୍ଞାତିକୁଟୁମ୍ବ ସହ ବାଜା ରୋଷଣୀ ସହ ଏକ ଶୋଭାଯାତ୍ରାରେ କନ୍ୟାପିତା ଚନ୍ଦ୍ରଶେଖର ଦାଶଙ୍କ ପୁରୋହିତ ଚନ୍ଦ୍ରମଣି ପାଢୀଙ୍କ ଘରେ ପହଞ୍ଚି ସେଠାରେ ବୈଦିକ ରୀତିନୀତି ଅନୁଯାୟୀ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ବାରା ଲଗ୍ନ ଚିଟାଉ ତାଳପତ୍ରରେ ଲେଖା ହେବା ପରେ ପଠନ କରାଯାଇଥିଲା ।ଏପରିକି ବିବାହ ବେଦିରେ ଯୌତୁକ ବାବଦକୁ ହରଙ୍କୁ କନ୍ୟାପିତା ୨ହଳ ନାଗନାଗୁଣୀ  ସହ ୨ହଳ ବୃଷଭ, ୨ଏକର ଶଶ୍ମାନ ଜମି ଓ ନଗଦ ୫୦୧ଟଙ୍କା ଦେବା ପାଇଁ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ । ପରେ ଲଗ୍ନଥାଳ ବରପିତାଙ୍କୁ ଟେକି ଦେଇଥିଲେ।  ଏହି ବିବାହ କାର୍ଯ୍ୟ ବୈଦିକ ରୀତିନୀତି ଓ  ଲୋକାଚାରରେ ଅନୁଷ୍ଠିତ  ହେଉଥିବାରୁ ଆଜି ଦେବଦେବ ମହାଦେବ ମଣିବାବାଙ୍କର ମାନବୀୟ ଭାବେ ଲଗ୍ନ ସରିବା ପରେ , ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ଆଖପାଖ ଜିଲ୍ଲାର ଦେବାଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଯିବାର କାଯ୍ୟକ୍ରମ ରହିଛି।

Spread the love