ବବିଙ୍କ ଭାବମୂର୍ତ୍ତି : ସୁଧାରିବା ପାଇଁ ବ୍ୟସ୍ତ ପିଆର ଟିମ୍‌

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କଠୁ ଦୂରେଇ ରହିବା ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଦ୍ୱାରା ଦଳର ନୀତି ନିର୍ଦ୍ଧାରଣ ହେଉଥିବା ମଧ୍ୟରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଭାବମୂର୍ତ୍ତି ସୁଧାରିବା ଉପରେ ବେଶ୍ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ନିକଟରେ ସୋସିଆଲ ମିଡିଆରେ ୪ମିନିଟ୍ ୫୩ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଣବପ୍ରକାଶ ଓରଫ ବବିଙ୍କୁ ‘ଓଡ଼ିଶାର ହିରୋ, ସିଂହ ଓ ଯୁବବର୍ଗଙ୍କ ସ୍ପନ୍ଦନ ଆଦି ଭଳି ଅନେକ ‘ଉପମା’ ଦିଆଯାଇଛି। ତେବେ କରୋନା ସଙ୍କଟବେଳେ ବିଜେଡି ନିଜର ସମସ୍ତ ରାଜନୀତିକ ଗତିବିଧିରୁ ଦୂରେଇ ରହି ଏହି ମହାମାରୀ ମୁକାବିଲା ଉପରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରଣବଙ୍କ ସମର୍ଥନରେ ଏଭଳି ଭିଡ଼ିଓ ଜାରି ହେବାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମା’ ପୁଣ୍ୟତୋୟା ପ୍ରଡକ୍ସନ ହାଉସ୍ ପକ୍ଷରୁ ଗୀତିକାର ହ୍ୟୁମାନ ସାଗର ଓ ଅସୀମା ପଣ୍ଡାଙ୍କ କଣ୍ଠରେ ‘ଆମେ ବବିଭାଇ ଫ୍ୟାନ୍‌’ ନାମକ ଏକ ଗୀତ ରେକର୍ଡିଂ କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଗୀତର ସଂଳାପକୁ ଏଭଳି ଭାବେ ଲେଖାଯାଇଛି, ଯେଉଁଥିରେ ବବିଙ୍କୁ ଓଡ଼ିଶାର ମହାନ ରାଜନେତା ଭାବେ ଚିତ୍ରଣ କରାଯାଇଛି । ଯଦିଓ ୨୦୦୮ ମସିହାରେ ବିଜେଡିରେ ସାମିଲ ହୋଇ ପ୍ରଣବ ପ୍ରଥମଥର ପାଇଁ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଖୁବ କମ୍ ସମୟ ମଧ୍ୟରେ ସେ ପାୱାର କରିଡରର ବିଶ୍ୱସ୍ତ ହୋଇ ଗତ ମାର୍ଚ୍ଚ ୫ତାରିଖରେ ଦଳର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।ବିଜେଡି ସୂତ୍ର ଅନୁସାରେ, ଏବେ କରୋନା ଯୋଗୁ ଦଳର ସାଂଗଠନିକ କାର୍ଯ୍ୟ ଠପ୍ ଥିଲାବେଳେ ପ୍ରଣବଙ୍କ ଏଭଳି ଆନୁଷ୍ଠାନିକ ନିଯୁକ୍ତିକୁ ନେଇ ବିଜେଡିରେ ଚାପା ଅସନ୍ତୋଷ ରହିଛି। ତେବେ ବିଜେଡିରେ ଦଳୀୟ ନେତାମାନଙ୍କୁ ନିଜର ଆପତ୍ତି- ଅଭିଯୋଗ ରଖିବା ପାଇଁ ଫୋରମ୍ ର ଅଭାବ, ବିଜେଡି ସୁପ୍ରିମୋଙ୍କ ନିରବତା ଓ ଦଳୀୟ ନେତାମାନଙ୍କୁ ଭେଟୁନଥିବା ତଥା କରୋନା ସଙ୍କଟ ଯୋଗୁ ଦଳୀୟ ନେତାମାନଙ୍କ ଅସନ୍ତୋଷ ଚାପି ହୋଇ ରହିଥିବା ଜଣାପଡ଼ିଛି। ବିଶେଷକରି ମୁହଁ ଖୋଲି ଅସନ୍ତୋଷ ବ୍ୟକ୍ତ କଲେ ଆକ୍ରୋଶ ଓ କାର୍ଯ୍ୟାନୁଷ୍ଠାନର ଆଶଙ୍କା ରହୁଥିବାରୁ ଅଧିକାଂଶ ବିଜେଡି ନେତା ‘ଆଲୋ ସଖି ଆପଣା ମହତ ଆପେ ରଖି’ ନ୍ୟାୟରେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ତା’ଛଡ଼ା ଦ୍ୱିତୀୟ କ୍ଷମତାକେନ୍ଦ୍ର ଏବେ ଦଳୀୟ ସାଂଗଠନିକ କାର୍ଯ୍ୟ ପାଇଁ ଏବେ ହାତଗଣତି ୨-୩ଜଣ ନେତାଙ୍କ ଉପରେ ନିର୍ଭର କରୁଥିବା ମଧ୍ୟ ବବିଙ୍କୁ ପରୋକ୍ଷରେ ସୋସିଆଲ ମିଡିଆରେ ନିଜକୁ ରାଜ୍ୟର ‘ହିରୋ’ ଅବା ‘ସିଂହ’ ବୋଲି ଚିତ୍ରଣ କରିବାର ସୁଯୋଗ ଆଣିଦେଇଛି। କରୋନା ସଙ୍କଟବେଳେ ବବିଙ୍କ ସପକ୍ଷରେ ଭାଇରାଲ ହେଉଥିବା ଭିଡିଓରେ ବିଜେଡି ସୁପ୍ରିମୋ ନବୀନଙ୍କ ଗୁଣଗାନ ପରିବର୍ତ୍ତେ ବବିଙ୍କୁ ବିଜେଡିର ସର୍ବେସର୍ବା ବୋଲି ଦର୍ଶାଇବାକୁ ବେଶ୍ ଚତୁରତାର ସହ ତାଙ୍କ ପିଆର ଟିମ୍ ଏଭଳି ପ୍ରଚାର କରାଉଛିି ବୋଲି ସାଧାରଣରେ ଚର୍ଚ୍ଚା।

Spread the love