ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରାଯାଉ : ବାବୁ ସିଂ

ଭୁବନେଶ୍ୱର : କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ । ଓଇଆରସିର ବିଦ୍ୟୁତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏପ୍ରିଲ ୪,୨୦୨୧ରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍ ଏବଂ ଲୋଭୋଲଟେଜ ପ୍ରତିବାଦରେ ମାଷ୍ଟର କ୍ୟାଂଟିନ ଠାରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ୬ ମାସରେ ଓଇଆରସି ୟୁନିଟ ପିଛା ପାଖାପାଖି ୫୦ ପଇସା ଦର ବୃଦ୍ଧି କରିଛି । କରୋନା ସମୟରେ ସାଧାରଣ ଜନତା ପେଟ ପାଇଁ ଚିନ୍ତା କରୁଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ବିଜୁଳି ଝଟକା ଦେଉଛନ୍ତି । ବିଧାନସଭାର ପବିତ୍ର ଗୃହରେ ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ ଦର ବୃଦ୍ଧି ଉପରେ ପୁର୍ନବିଚାର କରିବା ପାଇଁ ଓଇଆରସିକୁ ଚିଠି ଲେଖିବେ ବୋଲି ପ୍ରତିଶୃତି ଦେଇଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଚିଠି ଖଣ୍ଡେ ଲେଖିଲେ ନାହିଁ । ରାଜ୍ୟ ସରକାର ଏବଂ ଓଇଆରସି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ବିଦ୍ୟୁତ ଦର ବୃଦ୍ଧି ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଅଭିଯୋଗ କରିଛନ୍ତି । ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଭିତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି । ରାଜ୍ୟ ସରକାର ସେବା କମ୍ ଏବଂ ଟିକସ ଅଧିକା ନେବା ନୀତି ଆପଣାଇଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ବିଦ୍ୟୁତ ଦର ବୃଦ୍ଧି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ସିଂ କହିଛନ୍ତି ।
ବିଗତ ଦିନରେ ବିଭିନ୍ନ ପ୍ରାକୃତି ବିପର୍ୟ୍ୟୟ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ । ଏହା ସହ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ସିଂ ଦାବି କରିଛନ୍ତି । ନିଜର ଅପାରଗତ ଓ ସ୍ଥାଣୁତା ଯୋଗୁଁ ସରକାର ବିଦ୍ୟୁତ ଉତ୍ପାଦନ ଓ ଯୋଗଣରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ଡିସକମ କଂପାନୀ ଗୁଡିକ ରାଜ୍ୟ ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍ କରିବା ପରେ ସେଗୁଡିକୁ ଭରଣା କରିବା ପାଇଁ ସାଧାରଣ ଲୋକଙ୍କଠାରୁ ଟିକସ ଆଦାୟ କରାଯାଉଛି । ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର ନହେବା ପର୍ୟ୍ୟନ୍ତ ରାଜ୍ୟର ୯୨ ଲକ୍ଷ ଉପଭୋକ୍ତା ପାଇଁ ବିଜେପି ନିର୍ଣ୍ଣାୟକ ଲଢେଇ ଜାରି ରଖିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଚେତାବନୀ ଦେଇଛନ୍ତି ।

ଏହି ପ୍ରତିବାଦ ସଭାରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ୟ୍ୟ, ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଛୋଟରାୟ, ଅଭିଷେକ ଆଚାର୍ୟ୍ୟ, ଦିଲୀପ ବେହେରା, ଜିଲ୍ଲା ଉପସଭାପତି ମାନସୀ ରାୟ, ବିଭାସ ସେନଗୁପ୍ତା, ନିରଜଂନ ରାଉତରାୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମ ି ରଂଜନ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ କୁମାର ପଶ୍ଚିମ କବାଟ, ରୈଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ରଶ୍ମି ରଂଜନ ମୁଦୁଲି, ମଣ୍ଡଳ ସଭାପତି ଶଶିପ୍ରଭା ରଥ, ଫିରୋଜ ଖାନ, ସନ୍ତୋଷ ଜେନା, ଜଗନ୍ନାଥ ବେହେରା, ରାମଚନ୍ଦ୍ର ରଣସିଂହ, ଦାମଦୋର ବେହେରା, ଅଂଜନ ନାଥ, ବିଜୟ କୁମାର ରାଉତଙ୍କ ସମେତ ଦଳୀୟ କାର୍ୟ୍ୟକର୍ତା ଏବଂ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love