ଏକାମ୍ର କ୍ଷେତ୍ରରେ ମହାଶିବରାତ୍ରି: ଭଜନ ପରିବେଷଣ କରିବେ ବାବୁଲ ସୁପ୍ରିଓ, ଅନୁରାଧା ପୌଡୱାଲ

ଭୁବନେଶ୍ବର: ଦିନକ ପରେ ମହାଶିବରାତ୍ରି। ଭଗବାନ ଶିବଙ୍କ ପ୍ରିୟ ଦିବସ ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶିବଭକ୍ତ, ସେବାୟତ ଓ ମନ୍ଦିର କର୍ତ୍ତୃପକ୍ଷ ଏନେଇ ପ୍ରସ୍ତୁତ ହୋଇ ସାରିଛନ୍ତି। ମହାଶିବରାତ୍ରି ଅବସରରେ ଏକାମ୍ର ସାସ୍କୃତିକ ପ୍ରକାଶନିର ଦୀର୍ଘ ୩୪ ବର୍ଷ ଧରି ଜାତୀୟସ୍ତରୀୟ ଭଜନ ସମାରୋହ ଆୟୋଜନ କରିଆସୁଛି। ଚଳିତ ବର୍ଷର ଭଜନ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ହେବାକୁ ଯାଉଛନ୍ତି ବାବୁଲ ସୁପ୍ରିଓ, ବେଲା ସୁଲକେ ଏବଂ ଅନୁରାଧା ପୌଡ଼ୱାଲ। ଏହା ସହ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ବ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ବୁଧବାର ପାଳିଆ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଏହି ବୈଠକ ବସିଛି। ବୈଠକରେ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ଭୋର ୩:୩୦ରେ ଆଳତି ହେବ। ଅବକାଶ ନୀତି ଭୋର ୪ ଟାରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେବାୟତ ପରିବାରମାନେ ମହାପ୍ରଭୁଙ୍କ ଉତ୍ତର ଦ୍ୱାର ଦେଇ ଦର୍ଶନ କରିବେ। ଭୋର ୫ ରୁ ୧୧ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ସାହଣମେଲା ଦର୍ଶନ କରିବାର ସୁଯୋଗ ମିଳିବ। ୧୧ ଟା ପରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ରାତି ୧୦ ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି। ତା ପରେ ୪ ପ୍ରହର ନୀତି ହେବ ‌ବୋଲି କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି।

Spread the love