ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ଜୁନ୍‌ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ ଏବଂ  ଆସନ୍ତା  ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ର ଗତ ଶନିବାର ଦିନ ବାଚସ୍ପତି ପଦବିରୁ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଛି।ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପାତ୍ର କିଡ୍‌ନି ରୋଗରେ ସଂକ୍ରମିତ ହୋଇ ଗତ ୧୪ ଦିନ ହେଲା ସମ୍ ଅଲ୍ଟିମେଟ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ବାମ ଆଖିରେ ମଧ୍ୟ ବାକ୍ଟେରିଆ ସଂକ୍ରମଣ ହୋଇଛି। ଅସୁସ୍ଥତା ଯୋଗୁ ସେ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ଆଉ କୌଣସି ସରକାରୀ ଦାୟିତ୍ବ ନେବେନି ବୋଲି ସେ ଜଣାଇ ଦେଇଛନ୍ତି।ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ଆରୁଖ  ଗତଶନିବାର ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁ ଜିତି ଆସୁଥିବା ଆରୁଖ ୨୦୦୮ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୯ ମସିହାରୁ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି।

Spread the love