ବଡ଼ବଡ଼ିଆ

ଓଡ଼ିଶାରେ ଘରର ପୂର୍ବଜମାନଙ୍କୁ ବଡ଼ବଡ଼ିଆ ବା ବଡ଼ବଡ଼ୁଆ ବୋଲି କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ଆପଣାର ମୃତ ପୂର୍ବପୁରୁଷଗଣଙ୍କୁ ବଡ଼ବଡ଼ିଆ କୁହାଯାଏ । ଏହି ଗ୍ରନ୍ଥ ଅନୁସାରେ ବଡ଼ବଡ଼ିଆ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ହାଣ୍ଡିଶାଳରେ ରଚିତ ପୂର୍ବପୁରୁଷମାନଙ୍କର କଳ୍ପିତ ପ୍ରତିମା । ଦୀପାବଳୀ ବା କାର୍ତ୍ତିକ ମାସର ଅମାବାସ୍ୟା ଦିନ ଲୋକେ କାଉଁରିଆ କାଠି ଜାଳି ତାହାର ଆଲୋକକୁ ଆକାଶକୁ ଦେଖାନ୍ତି ଯାହାଦ୍ୱାରା ପିତୃପୁରୁଷଙ୍କ ପଥ ଆଲୋକିତ ହୁଏ ବୋଲି ବିଶ୍ୱାସ ରହିଛି ।

ମହାଳୟା ସମୟରେ ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ଦୀପାବଳୀ ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ।

ଦୀପାବଳୀ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଏହି ଶ୍ରାଦ୍ଧ ପାଳନ କରାଯାଏ । ଏହାକୁ ଲୋକେ ପୟା ଶ୍ରାଦ୍ଧ ବୋଲି ମଧ୍ୟ କହିଥାନ୍ତି । ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଦୀପାବଳୀ ଦିନ ପିତୃଲୋକକୁ ପୁନର୍ଗମନ କରନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସେହିମାନଙ୍କ ସ୍ମୃତି ଚାରଣ କରି ବଂଶଧରମାନେ ଏହି ଶ୍ରାଦ୍ଧ ପାଳନ କରିଥାନ୍ତି ।
ବଡ଼ବଡ଼ୁଆ ଶ୍ରାଦ୍ଧ ଦିନ ଘରର ସଦସ୍ୟମାନେ ବାରଣ୍ଡା ବା ଅଗଣାରେ ଏକତ୍ରିତ ହୋଇଥାନ୍ତି । ସେଠାରେ ମୁରୁଜ ପକାଇ ଏକ ବଡ଼ ବୋଇତ ବା ଡଙ୍ଗାର ଚିତ୍ର ଅଙ୍କିତ କରାଯାଇଥାଏ । ଏହି ଡଙ୍ଗାର ଉତ୍ତରରେ ୭ଟି କୋଠରୀ ଥାଏ ଯାହା ଋଷିମାନଙ୍କ ପାଇଁ ଉଦ୍ଦିଷ୍ଟ । ଡଙ୍ଗାର ପୂର୍ବରେ ରହିଥିବା ୧୦ଟି କୋଠରୀ ଦେବତାମାନେ ଅବସ୍ଥାନ କରନ୍ତି । ଦକ୍ଷିଣ ପଟକୁ ରହିଥିବା ୧୨ଟି କୋଠରୀ ପିତୃପୁରୁଷମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ମୁରୁଜ ବା ଝୋଟି ପଡ଼ିଥିବା ଏହି ସବୁ କୋଠରୀରେ ତୁଳା, ସୋରିଷ, ହଳଦି, ପନିପରିବା, ପିଠା, ମିଠା, ଲୁଣ, ଶତାବରୀ ମୂଳ, ବନ୍ୟ ଲତା ଇତ୍ୟାଦି ଦ୍ରବ୍ୟ ରଖାଯାଏ । ମଧ୍ୟଭାଗରେ ରହିଥିବା ଗୋଟିଏ କୋଠରୀରେ ଭୋଗ ରଖାଯାଇଥାଏ । ଏହି ପ୍ରସାଦ ପ୍ରକୋଷ୍ଠରେ କିଛି କାଉଁରିଆ କାଠି ମଧ୍ୟ ରଖାଯାଇଥାଏ । ଛୋଟ କପଡ଼ା ଖଣ୍ଡିଏ ତେଲ ବା ଘିଅରେ ଭିଜାଇ ଏହି କାଉଁରିଆ କାଠିର ଅଗରେ ଗୁଡ଼ାଇ ବାନ୍ଧି ଦିଆଯାଇଥାଏ । କେତେକ ଘରେ କାଉଁରିଆ କାଠିରେ ଦୁବ, ବରକୋଳି ପତ୍ର ଓ ଫୁଲ ଇତ୍ୟାଦି ମଧ୍ୟ ବନ୍ଧାଯାଏ । ଏହି ସବୁ ବ୍ୟତୀତ ଡଙ୍ଗା ନିକଟରେ ଶିଳ, ଶିଳପୁଆ, ହଳ ଇତ୍ୟାଦି ମଧ୍ୟ ରଖି ପୂଜା କରାଯାଏ ।

ଶ୍ରାଦ୍ଧ ଆରମ୍ଭରେ ଦଶ ଦେବ, ସପ୍ତ ଋଷି, ପିତାଙ୍କ ପରିବାରର ତିନି ପୂର୍ବପୁରୁଷ, ମାମୁଁଘରର ତିନି ପୂର୍ବପୁରୁଷଙ୍କୁ ଆବାହନ କରାଯାଏ । ସେମାନଙ୍କୁ ପୁଷ୍ପ, ଚନ୍ଦନ, ଧୂପ ଦୀପ, ପ୍ରସାଦ ଇତ୍ୟାଦି ଅର୍ପଣ କରାଯାଏ । ତାହାପରେ କାଉଁରିଆ କାଠି ଅଗରେ ମୁଖ୍ୟ ଦୀପରୁ ନିଆଁ ଲଗାଇ ଦିଆଯାଏ ଓ ସେଗୁଡ଼ିକ ଛୋଟ ମଶାଲ ପରି ଜଳି ଉଠନ୍ତି । ଘରର ସମସ୍ତ ସଦସ୍ୟ ଏହି ଜଳନ୍ତା କାଠିଟିକୁ ଟେକି ଧରି ଆକାଶଆଡ଼କୁ ଦେଖାଇ ନିଜ ପିତୃପୁରୁଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥାନ୍ତି । ଏହି ସମୟରେ ସମସ୍ତେ ମିଶି ବଡ଼ବଡ଼ିଆଙ୍କ ଉଦ୍ଦେଶ୍ୟରେ ଡାକ ପକାଇଥାନ୍ତି ଯାହାକୁ “ବଡ଼ବଡ଼ିଆ ଡାକ” ବୋଲି କୁହାଯାଏ ।

ଶ୍ରାଦ୍ଧ ସରିଲେ ଘରର ଲୋକେ ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥିବା ବିଭିନ୍ନ ପ୍ରକାରର ପିଠା ଆନନ୍ଦରେ ଖାଇଥାନ୍ତି । ପ୍ରଗତିଶୀଳ ଯୁଗରେ ବଡ଼ବଡ଼ିଆ ଶ୍ରାଦ୍ଧର ପାଳନ ବିଧିରେ ମଧ୍ୟ କ୍ରମଶଃ କେତେକ ପରିବର୍ତ୍ତନ ଦେଖାଦେଇଛି । ବର୍ତ୍ତମାନ ସମୟରେ କେବଳ କାଉଁରିଆ କାଠି ଜାଳି ପ୍ରଚୀନ ପରମ୍ପରାର ପ୍ରତୀକ ଭାବେ ଏହାକୁ କେତେକ ଘରେ ପାଳନ କରାଯାଉଛି ।

ପୟା ଶ୍ରାଦ୍ଧ ସହିତ ଆକାଶଦୀପର ପରମ୍ପରା ଓତପ୍ରୋତ ଭାବେ ଜଡ଼ିତ । ପୂର୍ବେ ଛୋଟ କଣା ଥିବା ମାଟିହାଣ୍ଡି ବା ପାତ୍ରରେ ଜଳନ୍ତା ଦୀପଟିଏ ରଖାଯାଉଥିଲା । ଘର ସାମନାରେ ଏକ ଲମ୍ବା ବାଉଁଶ ଖୁଣ୍ଟ ପୋତି ଏହି ଦୀପ ଥିବା ହାଣ୍ଡିକୁ ସେଥିରେ ଝୁଲାଇ ଦିଆଯାଉଥିଲା । ଏହାକୁ ଆକାଶଦୀପ ବୋଲି କୁହାଯାଉଥିଲା ଓ ପିତୃପକ୍ଷ ପରେ ବୈକୁଣ୍ଠ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିବା ପିତୃପୁରୁଷଙ୍କ ପଥ ଏହି ଆକାଶଦୀପଦ୍ୱାରା ଆଲୋକିତ ହେବ ବୋଲି ଲୋକେ ବିଶ୍ୱାସ କରୁଥିଲେ । ବର୍ତ୍ତମାନ ସମୟରେ ମଧ୍ୟ କେହି କେହି ଆକାଶଦୀପ ଜାଳିଥାନ୍ତି ।

Spread the love