ଦୁର୍ଘଟଣା ପରେ ବାହାନଗା ଷ୍ଟେସନ ASM ଫେରାର, ଜିଆରପି ଥାନାରେ ମାମଲା ରୁଜୁ

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଦୁର୍ଘଟଣା ପରେ ASM ଫେରାର। ASM ଏସବି ମହାନ୍ତି ଫେରାର। ଗତକାଲି ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ। ଗତକାଲି ସଂଧ୍ୟାରେ ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ସମେତ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରଠାରୁ ସେ ଫେରାର ଅଛନ୍ତି। ଦୁର୍ଘଟଣା ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି।

ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍‌ ଟ୍ରାଜେଡି । ଭୟଙ୍କର ଓ ଛାତିଥରା ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ । ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍‌ ଧକ୍କାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏକହଜାରରୁ ଅଧିକ ଆହତ ହୋଇଛନ୍ତି। ୮ଶହ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଉ ଦୁଇଟି ବଗିରୁ ଏଯାଏ ହୋଇପାରିନି ଉଦ୍ଧାର କାର୍ଯ୍ୟ । ଚିହ୍ନଟ ହୋଇଥିବା ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଅନ୍ୟ ମୃତଦେହଗୁଡ଼କ ଶବାଗାରରେ ରଖାଯାଇଛି। ଚିହ୍ନଟ ହୋଇପାରିନଥିବା ୧୬୦ଟି ମୃତଦେହକୁ ଭୁବନେଶ୍ୱର ଅଣାଯିବ। ସେଥିମଧ୍ୟରୁ ଶହେଟି ମୃତଦେହକୁ ଏମ୍‌ସ ଭୁବନେଶ୍ୱର ମର୍ଚୁରୀରେ ରଖାଯିବ। ଅନ୍ୟ ୬୦ଟି ମୃତଦେହକୁ ବିଭିନ୍ନ ଡାକ୍ତରଖାନାର ଶବାଗାରରେ ରଖାଯିବ ବୋଲି କହିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା। ପରିବାର ଲୋକ ମାନେ ଏହାକୁ ଚିହ୍ନଟ ନକରିବା ପର୍ଯ୍ୟନ୍ତ ରଖାଯିବ ବୋଲି ସେ କହିଛନ୍ତି।  ଭୟାବହ ଟ୍ରେନ ଦୁର୍ଘଟଣା ଯୋଗୁ ୫୮ ଟ୍ରେନ ବାତିଲ୍‌ ହୋଇଛି । ୮୧ଟି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ୧୦ଟି ଟ୍ରେନ ରୁଟ୍‌ରେ ହୋଇଛି ସାମାନ୍ୟ ପରିବର୍ତ୍ତନ । ଟ୍ରାକ ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଡାଉନ ଲାଇନ୍‌ ଟ୍ରାକ୍‌ ପ୍ରସ୍ତୁତ ହେବ ବୋଲି ଦକ୍ଷିଣପୂର୍ବ ରେଲେଓ୍ଵ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love