ମାର୍ଗଶିରରେ ବୈକୁଣ୍ଠର ବରଦାନ

ପୁରାଣ ଅନୁସାରେ, ମାର୍ଗଶିର ମାସରେ ସତ୍ୟଯୁଗ ପ୍ରତିଷ୍ଠା ହୋଇଥିଲା। ମହର୍ଷି କଶ୍ୟପ ମଧ୍ୟ ଏହି ମାସରେ କାଶ୍ମୀର ରାଜ୍ୟ ସ୍ଥାପନା କରିଥିଲେ। ସେହିପରି ମାର୍ଗଶିର ମାସରେ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଗୀତା ଜ୍ଞାନ ପ୍ରଦାନ କରିଥିଲେ। ସେଥିପାଇଁ ଏହି ମାସରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରାଯାଏ। ତେବେ ଶ୍ରୀକୃଷ୍ଣ ଗୀତାରେ ସ୍ବୟଂ କହିଛନ୍ତି, ମାସ ମଧ୍ୟରେ ମୁଁ ମାର୍ଗଶିର। ଏହି ମାସକୁ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ବରୂପ ବୋଲି ବିବେଚନା କରାଯାଏ। ତେଣୁ ଏହି ମାସରେ ଶ୍ରୀକୃଷ୍ଣଙ୍କ ଆରାଧନା କରିବା ଦ୍ବାରା ବୈକୁଣ୍ଠ ପ୍ରାପ୍ତ ହୋଇଥାଏ।

ମୃଗଶିରା ନକ୍ଷତ୍ରରୁ ମାର୍ଗଶିର: ଶାସ୍ତ୍ରରେ କୁହାଯାଇଛି, ଏହି ମାସର ସମ୍ବନ୍ଧ ମୃଗଶିରା ନକ୍ଷତ୍ର ସହ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୭ଟି ନକ୍ଷତ୍ର ରହିଛି। ସେଥିରୁ ଅନ୍ୟତମ ମୃଗଶିରା ନକ୍ଷତ୍ର। ଏହି ମାସ ପୂର୍ଣ୍ଣିମା ମୃଗଶିରା ନକ୍ଷତ୍ର ସହ ସଂଯୁକ୍ତ ହୋଇଥାଏ। ଏହି କାରଣ ଯୋଗୁଁ ଏହି ମାସର ନାମକରଣ ମାର୍ଗଶିର ହୋଇଛି। ଏହା ବାଦ୍‌ ଏହାକୁ ମଗୁଶୁର ମାସ ବୋଲି ମଧ୍ୟ କୁହାଯାଏ। ଏହି ମାସରେ କୌଣସି ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। ସେହିପରି ମାର୍ଗଶିରରେ ତେଲ ଲଗାଇ ସ୍ନାନ କଲେ ଶରୀର ନୀରୋଗ ରହେ।

ଯମୁନା ନଦୀରେ ସ୍ନାନ: ମାର୍ଗଶିର ମାସରେ ମାତା ପିତା, ଗୁରୁଙ୍କ ସେବା କରିବା ଦ୍ବାରା ଭଗବାନ କୃଷ୍ଣଙ୍କ ସହ ରାଧାରାଣୀଙ୍କ କୃପା ବି ସହଜରେ ମିଳିଥାଏ। ଜୀବନରେ ଭଗବାନଙ୍କ ଆଶୀର୍ବାଦ ବଜାୟ ରଖୀବାକୁ ଚାହୁଁଥିଲେ ଏବଂ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ଏହି ମାସରେ ଯମୁନା ନଦୀରେ ସ୍ନାନ କରିବା ଦରକାର।

. ଶଙ୍ଖ ପୂଜାର ମହତ୍ତ୍ବ: ମାର୍ଗଶିର ମାସରେ କୌଣସି ଶଙ୍ଖକୁ ଭଗବାନ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ଭାବି ତା’ର ପୂଜାର୍ଚ୍ଚନା କରିବା ଦରକାର। ଏହା ଦ୍ବାରା ସମସ୍ତ ମନୋବାଞ୍ଛା ପୂରଣ ହୁଏ। ପ୍ରତିଦିନ ଘରେ ଶଙ୍ଖ ପୂଜା କରିବା ଦ୍ବାରା ଅର୍ଥ ସଙ୍କଟ ଦେଖା ଦିଏ ନାହିଁ। ତେଣୁ ଏହି ମାସରେ ସକାଳୁ ଶୀଘ୍ର ଉଠି ସ୍ନାନ କରି ଠାକୁରଙ୍କ ପୂଜାର୍ଚ୍ଚନା କରିବା ଉତ୍ତମ।

ଦାନ କରିବା ଶୁଭ: ଏହି ମାସରେ ଦାନ କରିବାର ବିଶେଷ ଗୁରୁତ୍ବ ଥିବା କୁହାଯାଏ। ତେଣୁ ବସ୍ତ୍ର, କମ୍ବଳ, ଅନ୍ନଦାନର ମଧ୍ୟ ଏହି ମାସରେ ବିଶେଷ ମହତ୍ତ୍ବ ଅଛି। ପୂଜା ସମ୍ବନ୍ଧୀୟ ଆସନ, ତୁଳସୀ ମାଳା, ଚନ୍ଦନ, ମୟୂର ପୁଚ୍ଛ, କଳସ, ଆଚମନୀ, ପୀତାମ୍ବର ଓ ଦୀପ ଦାନକୁ ଖୁବ୍‌ ଶୁଭ ବୋଲି କୁହାଯାଇଛି।

Spread the love