ସମାଜର ଶେଷ ଧାଡିରେ ଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ପହଂଚାଇବାର ଶପଥ ନେଇଛନ୍ତି ବିଜେପି କାର୍ଯ୍ୟକର୍ତା : ବଳଭଦ୍ର ମାଝୀ

ଭୁବନେଶ୍ୱର,ତା.୧୦/୦୪: ପଣ୍ଡିତ ଦୀନଦୟାଲଙ୍କ ଅନ୍ତଦ୍ୟୋୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଶେଷ ଧାଡିରେ ଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢ଼ି ଉଠିଥିଲା ଭାରତୀୟ ଜନତା ପାର୍ଟି । ଲକ୍ଷ୍ୟ ଥିଲା ସମାଜର ତଳ ସ୍ତରରେ ରହୁଥିବା ଲୋକ ପାଖରେ ବିକାଶ ପହଂଚାଇବା । “ସେବା ହିଁ ସଂଗଠନ” କୁ ମୁଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । ସଶକ୍ତ ଭାରତବର୍ଷ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଆମ ସମସ୍ତଙ୍କର ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । ଭାରତୀୟ ଜନତା ପାର୍ଟି ଆଜି ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଏବଂ ସଂକଳ୍ପ ମାଧ୍ୟମରେ ସର୍ବବୃହତ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିକାଶମୁଖୀ ହୋଇଛି ଏବଂ ତାଙ୍କର ନେତୃତ୍ୱକୁ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳିଛି ବୋଲି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।

ଗତ ୬ ତାରିଖ ଦିନ ୪୪ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ଏବଂ ୬ ତାରିଖରୁ ଆସନ୍ତା ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ “ସାମାଜିକ ନ୍ୟାୟ ସପ୍ତାହ” ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଶ୍ରୀ ମାଝୀ ସୁଚନା ଦେଇ କହିଛନ୍ତି ଯେ, ୭ ତାରିଖ ଦିନ ଯୁବମୋର୍ଚ୍ଚା, ମେଡିକାଲ ସେଲ୍ ଏବଂ ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର, ରୋଜଗାର ପରାମର୍ଶ ଶିବିର, ସହଭୋଜ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୮ ତାରିଖ ଦିନ ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା, ସ୍ୱାଲମ୍ଭୀ ଭାରତ ଓ ଲିଗାଲ୍ ସେଲ୍ ତରଫରୁ ଜନଜାତି ଯୁବକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସଚେତନତା ଶିବିର କରାଯାଇ ରୋଜଗାର ସମ୍ବନ୍ଧିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଅଲୋଚନା କରାଯାଇଥିଲା । ୯ ତାରିଖ ଦିନ କୃଷକ ମୋର୍ଚ୍ଚା, ନମାମୀ ଗଙ୍ଗେ ଓ ସମବାୟ ପ୍ରକୋଷ୍ଠ ତରଫରୁ ପ୬କୃତିକ କୃଷି ସମ୍ବନ୍ଧିତ ଜନଜାଗରଣ କାର୍ଯ୍ୟକ୍ରମ, ନଦୀ ସୁରକ୍ଷା ପାଇଁ ପଦଯାତ୍ରା ମାଧ୍ୟମରେ ଜନଜାଗରଣ ଏବଂ ଶ୍ରୀ ଅନ୍ନ ଯୋଜନା ମିଶନର ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସେହିପରି ଆଜି ମହିଳା ମୋର୍ଚ୍ଚା ଓ ସାଂସ୍କୃତି ପ୍ରକୋଷ୍ଠ ତରଫରୁ ଦଳିତ ପରିବାର ଭାଇ ଭଉଣୀମାନଙ୍କ ସହିତ ଏକାଠି ଭୋଜନ କରିଛନ୍ତି । ଆସନ୍ତା କାଲି ଓବିସି ମୋର୍ଚ୍ଚା ଏବଂ ପୂର୍ବ ସୈାନିକ ପ୍ରକୋଷ୍ଠ ତରଫରୁ ୧୧ତମ ଜ୍ୟୋତିବା ଫୁଲେ ଜୟନ୍ତୀ ପାଳନ କରାଯିବ । ୧୨ ତାରିଖ ଦିନ ମେଡିକାଲ ଏବଂ ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ତରପରୁ ସ୍ୱାସ୍ଥ୍ୟ ଶିବିର ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ତାରିଖ ଦିନ ସଂଖ୍ୟାଲଘୁ ମୋର୍ଚ୍ଚା ତରଫରୁ ବିଭିନ୍ନ ପୋଖରୀ ସଫା କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସପ୍ତାହର ଶେଷ ଦିନ ଅର୍ଥାତ ୧୪ ତାରିଖ ଦିନ ବାବାସାହେବ ଆମ୍ବେଦକର ଜନ୍ମ ଜୟନ୍ତୀ ପାଳନ କରାଯିବ ବୋଲି ଶ୍ରୀ ମାଝୀ ସୁଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପାର୍ଟୀର ସମସ୍ତ ନେତୃବୃନ୍ଦ, ସାଂସଦ, ବିଧାୟକ, ପଦାଧିକାରୀ, ମୋର୍ଚ୍ଚା ଓ ପ୍ରକୋଷ୍ଠର କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

Spread the love