ଦିନସାରା ଖରାରେ ବସିଲେ ଭଡାଟିଆ, ଘରେ ପୂରାଇ ଦେଲେନି ମାଲିକ

ବାଲେଶ୍ୱର, ୧୬/୦୪: ଦିନସାରା ପତ୍ନୀ ଓ ପୁଅକୁ ନେଇ ଖରାରେ ବସିଲେ ଭଡାଟିଆ। କରୋନାର ବିଭୀଷିକା ଚାରିଆଡେ ଚାଲିଥିବା ବେଳେ ଏପରି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଯାହା ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି। ଏମାନଙ୍କ ଏତିକି ଭୁଲ ଥିଲା ଯେ ସେମାନେ ଆଜି ଭୁବନେଶ୍ୱର ଏକ ହସ୍ପିଟାଲକୁ ଆସିଥିଲେ।  ଭୁବନେଶ୍ୱରର କରୋନାର  ପ୍ରକୋପ ଦେଖି ତାଙ୍କୁ ଘର ମାଲିକଘରେ ପୂରାଇ ଦେଉନାହିଁ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର  ସୁରେଶ ଶର୍ମା ଦୀର୍ଘ ବର୍ଷ ଧରି ସହଦେବଖୁଣ୍ଟା ଅଞ୍ଚଳରେ ଲକ୍ଷ୍ମୀଧର ଭୂଇଁଆଙ୍କ ଘର ଭଡ଼ା ନେଇ ରହୁଥିଲେ। ସୁରେଶ ଜଣେ କ୍ୟାନ୍‌ସର ରୋଗୀ।  ଡାକ୍ତରଙ୍କ ପରାମର୍ଶରେ ଗତକାଲି ଭୁବନେଶ୍ୱର ଆସିଥିଲେ। ସାଙ୍ଗରେ ଥିଲେ ସୁରେଶଙ୍କ ପତ୍ନୀ ଓ ପୁଅ। ଭୁବନେଶ୍ୱର ଆସିବା ପାଇଁ ମଧ୍ୟ  ଘର ମାଲିକଙ୍କଠାରୁ ପରାମର୍ଶ ନେଇଥିଲେ।

ମେଡିକାଲ୍‌ ଚେକ୍‌ଅପ୍‌ ପରେ ସେମାନେ ଆଜି ବାଲେଶ୍ୱରକୁ ଫେରିଥିଲେ। ମଧ୍ୟାହ୍ନରେ ସେମାନେ ସହଦେବଖୁଣ୍ଟା ଘରେ ପହଞ୍ଚିଥିଲେ। ମାତ୍ର ଘର ମାଲିକ ସେମାନଙ୍କୁ ଘର ଭିତରକୁ ପଶିବାକୁ ଅନୁମତି ଦେଇନଥିଲେ। ଯାହାଫଳରେ ଦିନ ସାଢ଼େ ୧୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବାହାରେ ବସିଥିଲେ।

ଖବରପାଇ ଏଡିଏମ୍‌ଓ, ସହଦେବଖୁଣ୍ଟା ତହସିଲଦାର ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଘର ମାଲିକଙ୍କ ପୁଅଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିବା ଅଭିଯୋଗ ହୋଇଛି। ଶେଷ ଖବର ସୁଦ୍ଧା ଜିଲ୍ଲା ପ୍ରଶାସନ ସେମାନଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି।

Spread the love