ବାଲିଯାତ୍ରା କଟକ ଉତ୍ସବ ଉଦ୍‌ଘାଟିତ: ସଭାମଞ୍ଚରେ ‘ଜାତୀୟ ମାନ୍ୟତା’ ରାଜନୀତି

କଟକ: ଆଜି ସଂଧ୍ୟାରୁ ଆରମ୍ଭ ହୋଇଛି ରାଜ୍ୟର ସର୍ବବୃହତ ଐତିହାସିକ ମହାମେଳା କଟକ ବାଲିଯାତ୍ରା। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହୋତ୍ସବରେ ୧୨ଶହରୁ ଅଧିକ ଷ୍ଟଲ ରହିଥିବା ବେଳେ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମୁ ଉଦ୍‌ଘାଟନ କରି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ଯେ ବାଲିଯାତ୍ରା ଓଡ଼ିଆ ଜାତିର ଐତିହ୍ୟ, ଗର୍ବ, ଗୌରବ ତଥା ନୌବାଣିଜ୍ୟ ପରମ୍ପରାର ପ୍ରତୀକ। କଟକ ସହରର ଭାଇଚାରା ସାରା ଦେଶରେ ଅନନ୍ୟ। ଏହି ବାଲିଯାତ୍ରା ଆମ କଳା, ସଂସ୍କୃତି, ପରମ୍ପରାକୁ ସୁରକ୍ଷା କରିବା ସହି ରାଜ୍ୟର ଅର୍ଥନୀତିକୁ ଅଧିକ ସମୃଦ୍ଧ କରିବାରେ ସହାୟକ ହୋଇ ଆସୁଛି।

କଟକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ନରହରି ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ସମାରୋ‌ହରେ ମୁଖ୍ୟବକ୍ତା ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ କହି‌ଲେ ଯେ, ବାଲିଯାତ୍ରାରେ ଆମ ରାଜ୍ୟରେ ଯେତେ ଅଧିକ ଦ୍ରବ୍ୟ ବିକ୍ରି ହେବ, ତାହା ଆମ ଅର୍ଥନୀତି ପାଇଁ ଅନୁକୂଳ। ବାଲିଯାତ୍ରାର ଜାତୀୟ ମାନ୍ୟତା ପାଇଁ ଯେତିକି ଉଦ୍ୟମ ହେବା କଥା, ତାହା ହୋଇନାହିଁ। କିନ୍ତୁ ଗତବର୍ଷ ବାଲି ଦ୍ବୀପରେ ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରା ସଂପର୍କରେ ଯାହା କହିଲେ, ତାହା ଜାତୀୟ ମାନ୍ୟତା ଠାରୁ କମ୍ ନୁହେଁ ବୋଲି ଶ୍ରୀ ମହତାବ କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁ‌ହେଁ, ଏହା ଆମ ପ୍ରଗତିର ପ୍ରତିଛବି। ଅନ୍ୟତମ ଅତିଥି ଭାବେ ମେୟର ସୁବାସ ଚନ୍ଦ୍ର ସିଂହ କହିଲେ ଯେ ପୂର୍ବରୁ ବାଲିଯାତ୍ରା ୪୫ଏକର ଜମିରେ ସୀମିତ ରହିଥିବା ବେଳେ ଗତବର୍ଷଠାରୁ ଏହାର ପରିସୀମା ୧୫୦ଏକରକୁ ବୃଦ୍ଧି ପାଇଛି। ଏହା ଏସିଆ ମହାଦେଶର ଅନ୍ୟତମ ବୃହତ୍ତମ ମେଳା। ୨୦୧୯ରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରକୁ ଚିଠି ଲେଖିଥିବା ବ‌େଳେ ୨୦୨୨ରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ୮ଜଣ ସାଂସଦ ସମର୍ଥନ କରିଥିଲେ।

ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍, ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ବୋଲି ଉପସ୍ଥିତ ମନ୍ତ୍ରୀ, ସାଂସଦଙ୍କୁ ପରାମର୍ଶ ଦେଇଥିଲେ। ଉତ୍ସବରେ ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ବିଧାୟକ ଚନ୍ଦ୍ରସାରଥି ବେହେରା, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ସୌଭିକ୍ ବିଶ୍ବାଳ, ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ଶାସନ ସଚିବ ଗୁହା ପୁନମ୍ ତାପସ କୁମାର, ସିଏମ୍‌ସି କମିସନର୍‌ ନିଖିଲ ପବନ କଲ୍ୟ‌ାଣ, ଡିସିପି ପିନାକ ମିଶ୍ର, ଡେପୁଟି ମେୟର୍‌ ଦମୟନ୍ତୀ ମାଝି ପ୍ରମୁଖ ବାଲିଯାତ୍ରା ଇତିହାସ, ସମୃଦ୍ଧ ନୈବାଣିଜ୍ୟ ପରମ୍ପରା ବିଷୟରେ କହିଥିଲେ।

ଉଦ୍‌ଘାଟନୀ ସମାରୋହରେ ବାଲିଯାତ୍ରା ‘ସ୍ମରଣିକା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସ୍ମରଣିକା ପ୍ରକାଶନ କମିଟି ସଦସ୍ୟ ପ୍ରଫେସର ସହଦେବ ପାତ୍ର, ବିଶେଶ୍ବର ମହାନ୍ତି, ଡକ୍ଟର ସୁନାମଣି ରାଉତ, ଶୁଭେନ୍ଦୁ କୁମାର ଭୂୟାଁ, ଗୟାଧର ସାହୁଙ୍କୁ ସମ୍ମାନିତ କରାଯାଇଥିଲା। କଟକ ସହରର ଭାଇଚାରା, କଳା, ସଂସ୍କୃତି, ପର୍ବପର୍ବାଣୀକୁ ସମୃଦ୍ଧ କରିବାରେ ‌ଉଲ୍ଲେଖନୀୟ ଅବଦାନ ପାଇଁ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସଂପାଦକ ଭିକାରି ଦାସ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସିହ୍ନା, ସଂଗଠନ ସଂପାଦକ ନରେଶ ସାହୁ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ସାଧାରଣ ସଂପାଦକ ପ୍ରଫୁଲ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସାହୁ (ଶିବ)ଙ୍କୁ ସମ୍ମାନିତ କରାଯାଇଥିଲା। ଉପଜିଲ୍ଲାପାଳ କମଲଜିତ ଦାସ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ବାଲିଯାତ୍ରା ଆସନ୍ତା ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଚାଲିବ।

Spread the love