ଡ୍ରେସିଂ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଡ୍ରେସିଂ କଲେ ଝାଡ଼ୁଦାର

ସ୍ବାସ୍ଥ୍ୟ ସେବା ପାଇଁ ବାଲିପାଟଣା ବ୍ଲକର ଏକମାତ୍ର ଭରସା ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ମାତ୍ର ରବିବାର ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ସେବା ଠପ୍‌ ହୋଇଯାଇଥିଲା । ଡାକ୍ତର ଶ୍ରୀମୟ ମିଶ୍ରଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ରୋଗୀମାନେ ମେଡିକାଲ୍‌କୁ ଆସି ଦୀର୍ଘସମୟ ଧରି ଅପେକ୍ଷା କରିକରି ଶେଷରେ ଘରକୁ ଫେରିଥିଲେ । ଔଷଧ ଦୋକାନରୁ ନିଜ ରୋଗ ସମ୍ପର୍କରେ କହି ଔଷଧ ନେଇ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏ ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେ ରାଜସର ସବ୍‌ ମେଡିକାଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଫୋନ୍‌ କରିଥିଲେ ।

ମାତ୍ର ସେ କାର୍ଯ୍ୟରେ ଯୋଗଦେବାରେ ବିଳମ୍ବ ହେବାରୁ ଘଣ୍ଟାଘଣ୍ଟା ଅପେକ୍ଷା କରି ବହୁ ରୋଗୀ ଫେରିବାକୁ ବାଧ୍ୟ ହୋଇଥିଲେ । ଏହା ମଧ୍ୟରେ ଗର୍ଭବତୀ, ଝାଡ଼ାବାନ୍ତି ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଗତକାଲି ମଧ୍ୟ ଅନୁରୂପ ସମସ୍ୟା ଭୋଗିବାକୁ ପଡ଼ିଥିଲା । ଡ୍ରେସିଂ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଝାଡ଼ୁଦାର ଡ୍ରେସିଂ କାମ ତୁଲାଇଥିଲେ । ଏହା ଖୋଦ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଂଜନ ହାତୀ ସ୍ବୀକାର ମଧ୍ୟ କରିଛନ୍ତି ।

Spread the love