ଆସନ୍ତା ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ଆବଣ୍ଟନ

କଟକ, ୨୭/୦୯: କଟକ ବାଲିଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ୯ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବ । ନଭେମ୍ବର ୮ରୁ ୧୬ ପର୍ଯ୍ୟନ୍ତ ହେବ ବାଲିଯାତ୍ରା । ଆସନ୍ତା ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ଆବଣ୍ଟନ ହେବା ନେଇ ସୂଚନା ମିଳିଛି ।

ସୂଚନା ଥାଉକି ସେପ୍ଟେମ୍ୱର ୨୩ ତାରଖରେ ଯାତ୍ରା ପରିସର ୩୪ ଏକର ଜାଗା ଭିତରେ ସୀମିତ ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ ବୋଲି କହିଥିଲେ ଏନ୍‌ଜିଟି । ମହାନଦୀ ପଠାକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଯାଇପାରିବ ନାହିଁ ବୋଲି NGT ନିର୍ଦ୍ଦେଶ ଦେଇଥିଲେ  ।

ପୂର୍ବରୁ ଅଧିକ ଜାଗାରେ ବାଲିଯାତ୍ରା କରିବାକୁ କଟକ ପ୍ରଶାସନ ଚିନ୍ତା କରୁଥିଲା । କିନ୍ତୁ ଏତେ ପରିମାଣର ଜାଗାରେ ବାଲିଯାତ୍ରା କରିବାକୁ ଏନ୍‌ଜିଟି ଅମଙ୍ଗ ହୋଇଥିଲେ । ଏପିରିକି କିଛି ମାସ ତଳେ ଏନଜିଟିଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି କଟକର ବିଭିନ୍ନ ସ୍ଥାନ ବୁଲି ମହାନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ । ଯୋବ୍ରା ଠାରୁ ଗଡଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବିଶେଷଜ୍ଞ କମିଟି ବିଶେଷ ଭାବେ ଅନୁଧ୍ୟାନ କରିଥିଲା । ଉକ୍ତ ସ୍ଥାନକୁ ବାଲି ଦ୍ଵାରା ପୋତିଦିଆ ଯାଇଥିବା ହେତୁ , ଜୈବ ମଣ୍ଡଳ ପ୍ରଭାବିତ ହୋଇଛି , ପରିବେଶ ପ୍ରଦୂଷିତ ହୋଇଛି । ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି କମିଟି ରିପୋର୍ଟରେ ଉଲ୍ଲେଖ କରିଥିଲେ । ତେଣୁ ଆଗକୁ ମହାନଦୀର ଆଉ କୌଣସି ପଠାକୁ ନପୋତିବା ଏବଂ ବାଲିଯାତ୍ରା ପାଇଁ ୩୪ ଏକର ଜାଗାକୁ ଛାଡି ଅବଶିଷ୍ଟ ନଦୀ ପଠାରେ ବୃକ୍ଷ ରୋପଣ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ ।

Spread the love