ରାଜଧାନୀରେ ଦୀପାବଳିରେ ଏଥର ବି ବିକ୍ରି ହବନି ବାଣ: ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ନୂଆଦିଲ୍ଲୀ ୧୫/୦୯ : ଅକ୍ଟୋବର ଆରମ୍ଭ ହେଉ ହେଉ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ବାୟୁର ଗୁଣବତ୍ତା ହ୍ରାସ ପାଇବାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦିନ ସବୁ ପ୍ରକାର ବାଣ ଗୋଦାମ, ବାଣ ବିକ୍ରି ଓ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି। 

କେଜ୍ରିୱାଲ ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ, ” ଗତ ୩ ବର୍ଷ ହେଲା ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତିକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ସବୁ ପ୍ରକାର ବାଣ ସଂରକ୍ଷଣ, ବାଣ ବିକ୍ରି ଓ ଉପଯୋଗ ଉପରେ ପୂର୍ବ ଭଳି ପ୍ରତିବନ୍ଧକ ଲଗାଯିବ। ଯାହାଫଳରେ ଲୋକଙ୍କ ଜୀବନ ସୁରକ୍ଷିତ ରଖାଯାଇପାରିବ।”ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଉ ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, “ଗତ ବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ ସଂରକ୍ଷଣ ପରେ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଥିଲା ଯେଉଁଥିପାଇଁ ବ୍ୟବସାୟୀଙ୍କ କ୍ଷତି ହୋଇଥିଲା। ଏଥର ସମ୍ପୂର୍ଣ୍ଣ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କୌଣସି ସଂରକ୍ଷଣ ନ କରିବାକୁ ସମସ୍ତ ବ୍ୟବସାୟୀଙ୍କୁ ଅପିଲ।”ଦୀପାବଳି ପର୍ବର କିଛି ଦିନ ପୂର୍ବରୁ ଏହି ନିଷ୍ପତ୍ତି ଆସିଛି। ଏଥର ଦୀପାବଳି ନଭେମ୍ବର ୪ ତାରିଖରେ ପଡୁଛି। ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନେକ ଏଜେନ୍ସିଗୁଡିକୁ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ସହରରେ ଶୀତ ସମୟରେ ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦାୟୀ ବିଭିନ୍ନ କାରକର ପରିଚାଳନା ନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଦିନେ ପରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଘୋଷଣା କରିଛନ୍ତି।

Spread the love