ଜଗନ୍ନାଥଙ୍କ ପରମ ଭକ୍ତଥିଲେ ବନ୍ଧୁ ମହାନ୍ତି

ଯାଜପୁର ରେ ବନ୍ଧୁ ମହାନ୍ତି ର ଘର । ସେ ଜଣେ ଗରିବ ବ୍ୟକ୍ତି ଥିବାରୁ ବାର ଦୁଆରକୁ ଯାଇ ଭିକ୍ଷା ମାଗି ଚଳୁଥିଲା । କୁଟୁମ୍ବ କହିଲେ ଦୁଇ ଟି ଝିଅ ଓ ଗୋଟିଏ ପୁଅ, ଏମିତି ସେମାନେ ପାଞ୍ଚ ପ୍ରାଣୀ ଥିଲେ । ସେ ପ୍ରଭୁଙ୍କ ପରମ ଭକ୍ତ ଥିଲା, ସଦା ସର୍ବଦା ପ୍ରଭୁଙ୍କ ଗୁଣ କୀର୍ତ୍ତନ କରି ବାର ଦୁଆର ବୁଲି ଭିକ୍ଷା କରି କୁଟୁମ୍ବ ପୋଷୁଥିଲା । ଦୈବ ବଳରେ ଥରେ କାନ୍ତାର ପଡିଲା, ସମସ୍ତେ ଖାଇବାକୁ ନ ପାଇ ଭୋକରେ ମରିଗଲେ । ଏହା ଦେଖି ବନ୍ଧୁମହାନ୍ତି ଛୁଆ ମାନଙ୍କର ଭୋକ ଯନ୍ତ୍ରଣା ସହି ନ ପାରି ଚାରି ପାଞ୍ଚ ଖଣ୍ଡ ଗାଁ କୁ ଭିକ୍ଷା ନିମନ୍ତେ ଗଲା, ହେଲେ କଉଁଠି କିଛି ନ ପାଇ ନିରାଶ ରେ ଫେରି ଆସିଲା
ତାହାଦେଖି ତାଙ୍କ ପତ୍ନୀ କହିଲେ ଆମର ତ କେହି ବନ୍ଧୁ ସୋଦର ନାହାନ୍ତି, ଥିଲେ ତାଙ୍କଠୁ କିଛି ମାଗି ଆଣି ଖାଇଥାନ୍ତା।
ତାହାଶୁଣି ବନ୍ଧୁ ମହାନ୍ତି କହିଲେ ଶ୍ରୀକ୍ଷେତ୍ର ରେ ମୋର ଜଣେ ବନ୍ଧୁ ଅଛନ୍ତି, ସେ ବହୁତ ବଡ଼ ଲୋକ, ଚାଲ ତାଙ୍କ ପାଖକୁ ଯାଇ ଆମ ଦୁଃଖ ଜଣାଇବା । ଏଥିରେ ସନମତ ହୋଇ ସମସ୍ତେ ବାହାରି ପଡିଲେ ଶ୍ରୀକ୍ଷେତ୍ର ମୁଖେ, ସେଠାକୁ ଯାଇ ଦେଖିଲେ ଶ୍ରୀ ମନ୍ଦିର ନିକଟରେ ଭାରି ଭିଡ଼, ପ୍ରଭୁଙ୍କୁ ଦଣ୍ଡବତ ହୋଇ ସେମାନେ ଫେରି ଆସିଲେ ଦକ୍ଷିଣ ଦ୍ୱାର ରେ ଥିବା ପେଜ ନଳା ପାଖକୁ ଏବଂ ସନ୍ଧ୍ୟା ହୋଇ ଯିବାରୁ ସେଠାରେ ଥିବା ପେଜ କୁ ପିଇ ସମସ୍ତେ ଶୋଇ ପଡିଲେ, ଅଧ ରାତ୍ରି ରେ ପ୍ରଭୁ ବିପ୍ର ରୁପ ଧାରଣ କରି ରତ୍ନ ଭଣ୍ଡାର ରୁ ସୁନା ଥାଳି ଆଣି ନାନା ପ୍ରକାର ବ୍ୟଞ୍ଜନ ଧରି ଡାକ ପକାଇ କହିଲେ ବନ୍ଧୁ, ବନ୍ଧୁ ମୁଁ ତୁମ ପାଇଁ ଖାଇବା ନେଇ ଆସିଛି, ଶୀଘ୍ର ଆସି ନେଇଯାଅ, ଡାକ ଶୁଣି ବନ୍ଧୁ ମହାନ୍ତି ସେ ଠାବ କୁ ଗଲା ଓ ପ୍ରଭୁ ହାତରେ ବ୍ୟଞ୍ଜନ ବଢ଼ାଇ ଚାଲିଗଲେ l ସେ ସମସ୍ତଙ୍କୁ ଉଠାଇ ଖାଇ ସାରିଲା ପରେ ଥାଳ ନେଇ ବନ୍ଧୁ ମହାନ୍ତି ସେ ସ୍ଥାନ କୁ ଫେରାଇବା ପାଇଁ ଗଲା ବେଲେ ସେଠାରେ କେହି ନ ଥିଲେ l ସେ ଠାବ ରୁ ସେ ଫେରି ଆସି ମୁଣ୍ଡ ତଳେ ଥାଳ ଟି ଥୋଇ ଶୋଇ ପଡିଲା l ସକାଳ ହେଲା ପଣ୍ଡା, ପଢ଼ିଆରି ମାନେ ଦେଉଳ ଖୋଲି, ରତ୍ନ ଭଣ୍ଡାର ରେ ଥାଳ ନାହିଁ, ସେ କଥା ଶୀଘ୍ର ଯାଇ ରାଜାଙ୍କୁ ଜଣାଇବାରୁ, ରାଜା କହିଲେ ଏହାର ଶୀଘ୍ର ତଦନ୍ତ କର, ସମସ୍ତେ ଥାଳ ଖୋଜୁ ଖୋଜୁ ବନ୍ଧୁ ମହାନ୍ତି ଙ୍କ ପାଖରେ ଥିବା ଦେଖି ସେମାନଙ୍କୁ ରାଜା ପାଖରେ ଆଣି ହାଜର କଲେ, ବନ୍ଧୁ ମହାନ୍ତି ଯେତେ ଆମୂଳ ଚୁଳ ଘଟଣା କହିଲେ ବି କେହି ତାଙ୍କ କଥା କୁ ବିଶ୍ୱାସ ନ କରି ତାଙ୍କୁ ରାଜ ଦଣ୍ଡ ରେ ଦଣ୍ଡିତ କରି କାରାଗାର ରେ ପୁରେଇ ଦେଲେ l ରାତ୍ର ସମୟରେ ପ୍ରଭୁ ରାଜାଙ୍କୁ ସ୍ବପ୍ନ ରେ ଆଦେଶ ଦେଲେ କି ଏ ମୋର ପରମ ଭକ୍ତ ତଥା ବନ୍ଧୁ ଅଟନ୍ତି, ତାଙ୍କୁ ମୁଁ ସୁନା ଥାଳିରେ ବ୍ୟଞ୍ଜନ ନେଇ ଖାଇବାକୁ ଦେଇ ଆସିଥିଲି, ବିନା ଦୋଷ ରେ ମୋ ପାଖକୁ ଆସିଥିବା ଅତିଥି ତଥା ବନ୍ଧୁଙ୍କୁ ଶାସ୍ତି ଦେଇଅଛ, ଏଣୁ ଯେତେ ଶୀଘ୍ର ମୋ ବନ୍ଧୁ ଙ୍କୁ କାରା ମୁକ୍ତ କରି କ୍ଷମା ମାଗ । ଏ କଥା ଶୁଣି ରାଜା ତାଙ୍କୁ କାରା ମୁକ୍ତ କରାଇ, ଅନେକ ବସ୍ତ୍ର ଗହଣା ପିନ୍ଧାଇ ଉତ୍ତମ ଭୋଜନ ଦେଇ କ୍ଷମା ପ୍ରାର୍ଥନା କଲେ ଓ ତାଙ୍କ ପାଇଁ ଦକ୍ଷିଣ ପାରୁଶ ରେ ଏକ ଘର ଦେଇ ତାଙ୍କ ପୁତ୍ର ନାତି ଯାଏ ଭୋଗ ଖଞ୍ଜି ଦେଲେ ଏବଂ ଆଜ ଦିନ ଠାରୁ ତୁମେ ବନ୍ଧୁ ମହାନ୍ତି ରୂପେ ପରିଚିତ ହେଲ ବୋଲି ରାଜା ସ୍ୱ ମୁଖେ ପ୍ରକାଶ କଲେ । ବନ୍ଧୁ ମହାନ୍ତି ଏ ସବୁ ଦେଖି ଛଳ ଛଳ ନୟନ ରେ ପ୍ରଭୁଙ୍କୁ କୃତଞ୍ଜତା ଜଣାଇଲେ ।

Spread the love