ଜଗନ୍ନାଥଙ୍କୁ ପୂଜା କରନ୍ତି ବାଂଲାଦେଶୀ କ୍ରିକେଟର୍‌ ଲିଟନ୍‌

ଭୁବନେଶ୍ବର: ବାଂଲାଦେଶ କ୍ରିକେଟ୍‌ ଦଳରେ ମୁସଲିମ୍ ସମ୍ପ୍ରଦାୟର ଖେଳାଳି ଅଧିକ ଥିବାବେଳେ ଏକମାତ୍ର ହିନ୍ଦୁ ଖେଳାଳି ଭାବେ ନିୟମିତ ଖେଳୁଛନ୍ତି ଲିଟନ୍ ଦାସ। ସମ୍ପ୍ରତି ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିବା ଲିଟନ୍ ଜଣେ ଜଗନ୍ନାଥଙ୍କ ଭକ୍ତ ବୋଲି ସ୍ବୀକାର କରିଛନ୍ତି। ‘‘ମୁଁ ମୋ ଘରେ ଜଗନ୍ନାଥଙ୍କୁ ପୂଜା କରେ। ମୁଁ ଭାରତ ଆସିଲେ ନିଶ୍ଚିତ ଭାବେ ପୁରୀ ଜଗନ୍ନାଥ ମନ୍ଦିର ଯିବି’ ବୋଲି ‘କନକ ଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ୨୮ ବର୍ଷୀୟ ଲିଟନ୍‌। ଭାରତ ବିପକ୍ଷ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନିଜ ରନ୍‌ ଆଉଟ୍ ପାଇଁ ଦଳ ହାରିଥିବାରୁ ମଧ୍ୟ ଲିଟନ୍ ଦୁଃଖ ପ୍ରକାଶ କରିଛନ୍ତି।

ମୁଁ ଯେତେବେଳେ ଭାରତ ବିପକ୍ଷରେ ଖେଳେ ମୋତେ ଲାଗେ ଭଗବାନଙ୍କ ଆଶୀର୍ବାଦ ମୋ ସହିତ ଅଛି। ବାସ୍ ମୁଁ କେମିତି ଭଲ କରିପାରିବି ତା’ ଉପରେ ଫୋକସ କରେ। ସମ୍ପ୍ରତି ତୃତୀୟ ଥର ପାଇଁ ବାଂଲାଦେଶ ପ୍ରିମିୟର୍ ଲିଗ୍ ଜିତିଥିବା ଲିଟନ୍ କହିଛନ୍ତି, ଏହି ପ୍ରଦର୍ଶନ ନିଶ୍ଚିତ ଆଇପିଏଲ୍‌ରେ କେକେଆର୍ ପାଇଁ ଖେଳିବା ବେ‌ଳେ ମୋ ମ‌ନୋବଳକୁ ବଢ଼ାଇବ। କେକେଆର୍‌ ଦଳରେ ବହୁ ବଡ଼ ଖେଳାଳି ଓ କୋଚିଂ ଷ୍ଟାଫ୍ ଥିବାରୁ ନିଶ୍ଚିତ ଅଧିକ କିଛି ଶିଖିବାକୁ ପାଇବି ବୋଲି ବାଂଲାଦେଶ ପାଇଁ ୨୭ ଟେଷ୍ଟ, ୬୦ ଦିନିକିଆ ଓ ୬୫ ‌ଟ୍ବେଣ୍ଟି-୨୦ ଖେଳିଥିବା ଲିଟନ୍ ପ୍ରକାଶ କରିଛନ୍ତି।

Spread the love