ବ୍ୟାଙ୍କ ଗ୍ରାହକଙ୍କୁ ଝଟକା: ଅନ୍ୟ ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା

ନୂଆଦିଲ୍ଲୀ ୧୦/୦୬ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜୁନ ୧୦ ତାରିଖରେ ଅନ୍ୟ ବ୍ୟାଙ୍କ ଏଟିଏମରେ ଆର୍ଥିକ କାରବାର ଉପରେ ଇଣ୍ଟରଚେଞ୍ଜ ଫିସ ବଢ଼ାଇ ୧୫ ଟଙ୍କାରୁ ୧୭ ଟଙ୍କା କରିଛି । ଗ୍ରାହକଙ୍କୁ ପ୍ରତି ମାସରେ ମିଳୁଥିବା ଫ୍ରି ଏଟିଏମ ଟ୍ରାଞ୍ଜାକ୍ସନ ପରେ କଷ୍ଟମର ଚାର୍ଜ ସୀମା ୨୦ ଟଙ୍କା ୨୧ ଟଙ୍କାକୁ ବୃଦ୍ଧି କରାଯାଇଛି । ଇଣ୍ଟରଚେଞ୍ଜ ଫିସ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ବ୍ୟାଙ୍କ ଗ୍ରାହକ ପ୍ରତି ମାସରେ ୫ଥର ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ ।

ଏଟିଏମ ଇଣ୍ଟରଚେଞ୍ଜ ଫିସ କଣ ଏବଂ କିଭଳି କାମ କରେ :
ଯଦି ବ୍ୟାଙ୍କ ‘ଏ’ର ଗ୍ରାହକ ବ୍ୟାଙ୍କ ‘ବି’ର ଏଟିଏମରେ ନିଜ କାର୍ଡ ବ୍ୟବହାର କରି ଟଙ୍କା ଉଠାନ୍ତି ତାହେଲେ ବ୍ୟାଙ୍କ ‘ଏ’କୁ ଅନ୍ୟ ବ୍ୟାଙ୍କକୁ ଏକ ନିଶ୍ଚିତ ଶୁଳ୍କ ଦେବାକୁ ପଡିଥାଏ । ଏହାକୁ ଏଟିଏମ ଇଣ୍ଟରଚେଞ୍ଜ ଫିସ କୁହାଯାଏ । ଅନେକ ବର୍ଷରୁ ଘରୋଇ ବ୍ୟାଙ୍କ ଓ ହ୍ୱାଇଟ ଲେଭଲ ଏଟିଏମ ଅପରେଟର୍ସ ଇଣ୍ଟରଚେଞ୍ଜ ଫିସ ୧୫ ଟଙ୍କାରୁ ବଢ଼ାଇ ୧୮ ଟଙ୍କା କରିବାକୁ ଦାବି କରୁଥିଲେ । ଫ୍ରି ଲିମିଟ୍ ପରେ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ଗ୍ରାହକଙ୍କୁ ମହଙ୍ଗା ପଡିବ । ୨୦୧୯ ରେ ଭାରତୀୟ ବ୍ୟାଙ୍କ ସଂଗଠନର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷତାରେ ଗଠିତ ସମିତିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ରିଜର୍ଭ ବ୍ୟାଙ୍କ କହିଛି ଯେ ଗତ ଥର ୨୦୧୨ ଅଗଷ୍ଟରେ ଏଟିଏମ ଇଣ୍ଟରଚେଞ୍ଜ ଫିସରେ ପରିବର୍ତ୍ତନ କରାଯାଇଥିଲା । ୨୦୧୪ ରେ ଗ୍ରାହକ ଶୁଳ୍କରେ ସଂଶୋଧନ କରାଯାଇଥିଲା । ଆରବିଆଇ କହିଛି ଯେ ବ୍ୟାଙ୍କ ଏବଂ ଏଟିଏମ୍ ଅପରେଟରଙ୍କ ଉପରେ ଏଟିଏମ୍ ନିୟୋଜନ ମୂଲ୍ୟ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ସହିତ ସମସ୍ତ ହିତାଧିକାରୀ ଏବଂ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବ୍ୟାଙ୍କ ଉଭୟ ଆର୍ଥିକ ଏବଂ ଅଣ ଆର୍ଥିକ କାରବାର ପାଇଁ ଇଣ୍ଟରଚେଞ୍ଜ ଶୁଳ୍କ ବୃଦ୍ଧି କରିଛନ୍ତି। ଅଣ-ଆର୍ଥିକ କାରବାର ଶୁଳ୍କ ୫ ରୁ ୬ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ୨୦୨୧ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ।

Spread the love