ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଲେ ପୁଲିସ ଡିଜି
ଆଗାମୀ ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ହେବାକୁ ଯାଉଥିବାରୁ ଆଜି ପୁଲିସ ଡିଜି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ ଡିଜି ଅଭୟ ଆଜି କଟକର ବାରବାଟୀ ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହିତ ଏହାର ସମୀକ୍ଷା କରିଛନ୍ତି । ପୁଲିସ ଡିଜିଙ୍କ ସମୀକ୍ଷା ସମୟରେ ଭୁବନେଶ୍ବର-କଟକ ପୁଲିସ କମିସନରେଟର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।
ସମୀକ୍ଷା ପରେ ଡିଜି କହିଛନ୍ତି ଯେ ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଛି । ମ୍ୟାଚ ଦିନ ବାରବାଟୀ ଷ୍ଟାଡିୟମ ଓ ଖେଳାଳିଙ୍କ ସୁରକ୍ଷା ଲାଗି ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ସଦା ପୋଷାକରେ ପୁଲିସ କର୍ମଚାରୀ ଓ କମାଣ୍ଡୋ ମଧ୍ୟ ମୁତୟନ ହେବେ ବୋଲି ଜାଣିବାକୁ ମିଳିଛି। ଖେଳାଳିଙ୍କ ସୁରକ୍ଷା ଲାଗି ପୁଲିସ କୁକୁରଙ୍କ ଦ୍ବାରା ଷ୍ଟାଡିୟମର ବିଭିନ୍ନ ଅଂଚଳ ମଧ୍ୟ ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି।