ବରପଦା ଇଂଜିନିୟରିଂ ସ୍କୁଲ କେଳେଙ୍କାରୀ ମାମଲାରେ ଧରାପଡିଲା ପ୍ରଫୁଲ୍ଲ ସାମଲଙ୍କ କାରସାଦି

ବରପଦା ସ୍କୁଲ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ବି.ଏସ୍.ଇ.ଟି) ସଂସ୍ଥାରେ କୋଟି କୋଟି ଟଙ୍କା କେଳେଙ୍କାରୀକୁ ପ୍ରୋତ୍ସାହିତ କରିଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ନାଁରେ 

ଗଣମାଧ୍ୟମ ଠାରୁ ଆରମ୍ଭ କରି ଜନସାଧାରଣରେ ଚର୍ଚ୍ଚା ଚାଲିଛି । ଏପରିକି ମାମଲା ଥାନା ଠାରୁ କଚେରୀ ପର୍ଯ୍ୟନ୍ତ ମଧ୍ୟ
ଗଲାଣି । ଏଥିରେ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିବାଦୀୟ ସଂପୃକ୍ତିର ଗୁରୁତ୍ୱର ଅଭିଯୋଗ ପ୍ରଦେଶ
କଂଗ୍ରେସ ପକ୍ଷରୁ ଅଣାଯାଇଛି । ସଂସ୍ଥାର ସଭାପତି ଥବାବେଳେ ପୁଅ ପ୍ରୟାସକାନ୍ତି ସାମଲ କୋଟି କୋଟି ଟଙ୍କାର
ଅନିୟମିତତାରେ ସଂପୃକ୍ତିର ଅଭିଯୋଗ ହୋଇ ଆସୁଥିବା ବେଳେ ପିତା ପ୍ରଫୁଲ ସାମଲ ନିଜର ସାଧୁତା ନେଇ ସର୍ବସାଧାରଣରେ ମିଥ୍ୟା ବାହାସ୍ପୋଟ ମାରୁଛନ୍ତି । ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ତଥ୍ୟ ପ୍ରମାଣ ସହ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ସଂପୃକ୍ତିର ଖୁଲାସା କରିଛନ୍ତି ।
ଅସଲରେ ବରପଦା ସ୍କୁଲ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ବି.ଏସ୍.ଇ.ଟି)ରେ ଦୁର୍ନୀତିର ସୂତ୍ରପାତ ହୋଇଥିଲା
ପ୍ରଫୁଲ ସାମଲଙ୍କ ସଭାପତିତ୍ୱ କାଳରେ । ମନ୍ତ୍ରୀ ନିଜ ପରିବାର ଓ ପୁଅକୁ ଅନୁକମ୍ପା ଦେଖାଇବାକୁ ଯାଇ ୦୫.୦୧.୨୦୦୭
ରେ ଅତ୍ୟନ୍ତ ଗୋପନୀୟ ଓ ଚତୁରତାର ସହ ୧୯୯୨ ମସିହାରେ ତିଆରି କରାଯାଇଥିବା ସଂସ୍ଥାର ମୂଳ ମେମୋର‌୍ୟାଣ୍ଡମ
ତଥା ବାଇ-ଲ ର ସଂଶୋଧନ କରି ଦେଇଥିଲେ । କିନ୍ତୁ ନିୟମ ଅନୁଯାୟୀ ପ୍ରଫୁଲ୍ଲ ସାମଲ ଯେହେତୁ ଭଦ୍ରକର ବିଧାୟକ
ନଥିଲେ ସେ ଦୃଷ୍ଟିରୁ ସେ ପରିଚାଳନା କମିଟିର ଏକ୍ସ-ଅଫିସିଓ ସଭ୍ୟ ଓ ସଭାପତି ଭାବରେ ରହିପାରିବା କଥା ନୁହେଁ ।
ତଥାପି ପ୍ରଫୁଲ୍ଲ ବାବୁ ବାଇ-ଲକୁ ବଦଳାଇ ଦେଲେ ଏବଂ ଏଭଳି ପରିବର୍ତନ କରାଯିବା ବେଆଇନ୍ ଓ ଅସାଧୁ ଉଦେଶ୍ୟ
ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ ସଂସ୍ଥାର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ ।
୨୦୦୮ ମସିହାରେ ସାଂସଦ ଶ୍ରୀ ଅର୍ଜୁନ ଚରଣ ସେଠୀ ଏ ନେଇ ଏକ ପ୍ରତିବାଦ ପତ୍ର ଲେଖି ଜଣାଇଥିଲେ ଯେ ଏହା ତାଙ୍କ
ବିନା ଜ୍ଞାତସାରରେ କରାଯାଇଛି । ପୁନର୍ବାର ଉକ୍ତ ସଂସ୍ଥାର ପ୍ରନ୍ସିପାଲ ୨୦୧୭ ମସିହାରେ ସ୍ଥାନୀୟ ଥାନାରେ ଏକ
ଏଫଆରଆର ରୁଜୁ କରିଥିଲେ ଏବଂ ସେଥିରେ ସେ ଦର୍ଶାଇଥିଲେ ଯେ କଲେଜ ନାମରେ ଥିବା ଗାଡିକୁ ବେଆଇନ୍ ଭାବରେ
କିଣା ଯାଇଛି ଏବଂ ତାକୁ ପୁନର୍ବାର ବିକ୍ରି କରି ଯାହା ପଇସା ଆସିଲା ତାକୁ ନିଜେ ହଡପ କଲେ ।
ଏ ସମସ୍ତ ଘଟଣାକ୍ରମରେ ନିଜକୁ ସଚ୍ଚୋଟ ପ୍ରତିପାଦନ କରୁଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯିଏକି ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ
କ୍ୟାବିନେଟ୍ ସହଯୋଗୀ କୋଟି କୋଟି ଟଙ୍କା ଲୁଟ କରିଛନ୍ତି । ଉକ୍ତ ସଂସ୍ଥାର ବାଇ-ଲ ରେ ଯେତେବେଳେ ବିଶେଷ
ପ୍ରାବଧାନ ଅଛି ଯେ ସରକାର ଏ ସମସ୍ତ ଆର୍ଥିକ ଅନିୟମିତତାକୁ ତଦନ୍ତ ଏବଂ ତଦାରଖ କରିପାରିବେ, ବର୍ତମାନ ସୁଦ୍ଧା
ରାଜ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।
ଏ ପୁରା ଦୁର୍ନିତିର ଯାଂଚ କରିବା ପାଇଁ ଏକ ସ୍ପେଶାଲ ଇନ୍ଭେସ୍ଟିଗେସନ ଟିମ୍ (ଏସ୍.ଆଇ.ଟି) ଗଠନ କରିବାକୁ ଦାବି
କରିଛି କଂଗ୍ରେସ ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Spread the love