ଏସିଏଫ ମୃତ୍ୟୁ ଘଟଣା : ବାରିପଦା ଗଲା ପୋଲିସ ଟିମ୍

ଗଜପତି ୧୮/୭ :  ଗଜପତି ଜିଲ୍ଲାର ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ହତ୍ୟା ଘଟଣାରେ ଦିନ ଯେତିକି ଗଡୁଛି, ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ୬ ଦିନ ପରେ ମଧ୍ୟ କିଭଳି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଘଟଣା ଘଟିଗଲା ତାହା ଉପରୁ ପରଦା ହଟିପାରି ନାହିଁ । ସେପଟେ ସୌମ୍ୟଙ୍କ ପରିବାର ଲୋକେ ବୋହୂ ବିଦ୍ୟାଭାରତୀଙ୍କ ବିରୋଧରେ ଅଣିଥିବା ଅଭିଯୋଗ ଆହୁରି ସସପେନ୍ସ ବଢାଉଛି। ଏହି ମଧ୍ୟରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ନେତୃତ୍ଵରେ ଏକ ୬ ଜଣିଆ ପୁଲିସ ଟିମ୍ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବାପଘର ବାରିପଦା କପ୍ତିପଦା ଅଭିମୁଖେ ବାହାରିଛି ।

ଏହି ୬ ଜଣିଆ ଟିମ୍ ପ୍ରଥମେ ସୌମ୍ୟଙ୍କ ଘରକୁ ଯାଇ ସେଠାରେ ତାଙ୍କ ମାଆ ଓ ମାଇଁ ଏବଂ ଅନ୍ୟ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିବ। ଏହାପରେ ବିଦ୍ୟାଭରତୀଙ୍କ ନିକଟରେ ପହଞ୍ଚି ତାଙ୍କୁ ପଚରା ଉଚୁରା କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବିଦ୍ୟାଭାରତୀଙ୍କୁ ପଚରା ଉଚୁରା ସମୟରେ ସବୁ ସତ ବାହାରିବ ବୋଲି ପୁଲିସ ଆଶା କରୁଛି। ହେଲେ ସତ ଓଗାଳିବାରେ ପୁଲିସ କେତେ ସଫଳ ହେବ ତାହା ଦେଖିବାର କଥା । ସେପଟେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଶନିବାର ବିଳମ୍ବିତ ସନ୍ଧ୍ୟାରେ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନ ନିକଟକୁ ଯାଇ ସ୍ଥିତି ପରଖିଥିଲେ । ଏହି ସମୟରେ ପୁଲିସ ଡେମୋ ମଧ୍ୟ କରିଛି । ତଦନ୍ତ ଖୁବ ଜୋରଦାର କରାଯାଇଛି ଏବଂ ଅତିଶୀଘ୍ର ଦୋଷୀ ଧରା ପଡିବେ ବୋଲି ଏସପି କହିଛନ୍ତି।

ଅପରପକ୍ଷରେ ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ହାତରେ ଲାଗିଥିବା ଲାପ୍‌ଟପ୍‌, ଏକ ହାତଲେଖା ଖାତା ଓ କିଛି ହାତଲେଖା କାଗଜ ଆହୁରି ସସପେନ୍ସ ବଢାଇଛି । ଏପରିକି ଉଭୟଙ୍କ ମଧ୍ୟରେ ଛାଡପତ୍ର ପାଇଁ ମଧ୍ୟ ଚୁକ୍ତିନାମା କରିବା ସକାଶେ ଲେଖା ହୋଇଥିବା ଏକ କାଗଜ ମଧ୍ୟ ଜବତ କରିଛି ପୁଲିସ । ଅପରାଧୀଙ୍କ ନିକଟରେ ପହଞ୍ଚିବା ପାଇଁ ପୁଲିସକୁ ଏଥିରୁ ସୁରାକ ମିଳିବ ବୋଲି ମଧ୍ୟ ଆଶା କରାଯାଉଛି । ଜବତ ଖାତାରେ ସୌମ୍ୟ ଅନେକ କିଛି ଉଲ୍ଲେଖ କରିଛନ୍ତି ଯେଉଁଥିରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା କଥା ଲେଖାହୋଇଥିବା କହିଛନ୍ତି ସୌମ୍ୟଙ୍କ ଆଇନଜୀବୀ ପାର୍ଥସାରଥୀ ନାୟକ । ସେହିଭଳି ସୌମ୍ୟଙ୍କର ଜଣେ ବନ୍ଧୁ କହିଛନ୍ତି ଯେ, ଗତ ଛୁଟିରେ ଆସିଥିବା ବେଳେ ଡିଏଫ୍‌ଓ କିଭଳି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ତାହା ସୌମ୍ୟ ପ୍ରକାଶ କରିଥିଲେ । ତାଙ୍କ ଅନୁପସ୍ଥିତିରେ ଡିଏଫ୍‌ଓ ତାଙ୍କ ଘରକୁ ଯାଇ ଖାଇବା ପିଇବା କରୁଥିବା ମଧ୍ୟ କହିଥିଲେ । ଏହାକୁ ନେଇ ସୌମ୍ୟ ନିଜ ସ୍ତ୍ରୀ[1]ଡିଏଫ୍‌ଓଙ୍କ ଅନୈତିକ ସମ୍ପର୍କକୁ ସନ୍ଦେହ କରୁଥିବା ସେ କହିଛନ୍ତି ।

ପ୍ରକାଶ ଥାଉକି, ଗତ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କୁ ଅଧାପୋଡା ଏବଂ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲ । ହେଲେ ୧୨ ଘଣ୍ଟାର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ସୌମ୍ୟ । କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ୧୩ ତାରିଖ ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ଅଭିରାମ ମହାପାତ୍ର । ଡିଏଫଓ- ସୌମ୍ୟଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ରୋଷେୟା ସହଯୋଗରେ ମିଳିତ ଷଡଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଅଭିରାମ । ଏହା ଆଧାରରେ ପାରଳାଖେମୁଣ୍ଡି ପୁଲିସ ଏକ ଅପରାଧିକ ଷଡଯନ୍ତ୍ରମୂଳକ ହତ୍ୟା ମାମଲା (୧୪୧/୨୦୨୧) ରୁଜୁ କରି ତଦନ୍ତ ଜାରି ରଖିଛି ।

Spread the love