୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର,୨୪/୦୬: ଦକ୍ଷିଣ ବାଂଲାଦେଶ ତଥା ତା’ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା କରାଇବା ପରେ ଏହି ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି । ଯଦିଓ ରାଜ୍ୟରେ ବର୍ଷା ପ୍ରକୋପ କମିଛି, ତଥାପି ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିୟମିତ ବର୍ଷା ହେବ । ଗୁରୁବାର ରାଜ୍ୟର ୧୦ଟି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଭାଗ କହିଛି, ଆଜି ଉତ୍ତର-ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ଼ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟରରୁ ୫.୮ କିମି ମଧ୍ୟରେ ଗୋଟିଏ ନିମ୍ନ ଚାପରେଖା ଲମ୍ବିଛି । ଏହାବାଦ୍‌ ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପରେଖାଉତ୍ତର-ପଞ୍ଜାବରୁ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ଜାଗାରେ ବର୍ଷା ହେବ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

ଶୁକ୍ରବାର ବର୍ଷା ବଢ଼ିପାରେ । ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷାର ବି ସମ୍ଭାବନା ରହିଛି । ୨୬ ଓ ୨୭ ତାରିଖରେ ମଧ୍ୟ ରାଜ୍ୟରେ ସମାନ ସ୍ଥିତି ରହିପାରେ ।

ମଙ୍ଗଳବାର ରାଜ୍ୟର ଅନେକ ଜାଗାରେ ପ୍ରବଳ ବର୍ଷା ଢାଳିଛି । ବୁଧବାର ସକାଳ ୮ଟା ୩୦ ସୁଦ୍ଧା (ଗତ ୨୪ ଘଣ୍ଟାରେ) ପୁରୀ ଜିଲ୍ଲାର ନିମାପଡ଼ାରେ ୧୬୪.୨ ମିଲିମିଟର, ବାଲେଶ୍ୱରର ଭୋଗରାଇରେ ୧୩୦.୨ ମିମି, ପିପିଲିରେ ୧୧୪, ଜଲେଶ୍ୱରରେ ୧୧୮, ଭୁବନେଶ୍ୱରରେ ୧୧୩.୨ ମିମି, ମୁଣ୍ଡଳିରେ ୧୦୫.୬, ଆଳିପିଙ୍ଗଳରେ ୮୬, ଗୋପରେ ୮୪, କେନ୍ଦ୍ରାପଡ଼ାରେ ୮୪, କେସିଙ୍ଗାରେ ୭୭, ନରାଜରେ ୬୮, ଯଶିପୁରରେ ୬୪.୨, କଟକରେ ୫୬.୪, ବାଲିମେଳାରେ ୫୪, ଟିଟିଲାଗଡ଼ରେ ୪୧, ଖଣ୍ଡପଡ଼ାରେ ୪୭.୨, ପାରାଦୀପରେ ୪୬.୯, ନୀଳଗିରିରେ ୪୩, ଢେଙ୍କାନାଳରେ ୪୦.୫, ପୁରୀରେ ୩୨.୫ ମିମି ବର୍ଷା ହୋଇଥିଲା । ବୁଧବାର ପାଗ ମେଘୁଆ ରହିଥିବାବେଳେ ବର୍ଷା ପ୍ରକୋପ କମିଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ( ଜୁନ୍‌ ୧ରୁ ଏଯାବତ୍‌) ୧୫୬.୬ ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୭ ପ୍ରତିଶତ ଅଧିକ ବୋଲି ଜଣାପଡିଛି ।

Spread the love