୨୪ ଘଣ୍ଟାରେ ଘନୀଭୂତ, ୯ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର,୧୧/୦୬: ଓଡ଼ିଶାକୁ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ପାଦ ଥାପିଛି ଦକ୍ଷିଣ ଓଡ଼ିଶାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବେଶ କରିଛି । ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଆଂଶିକ ଛୁଇଁଛି । ୩୬ ଘଣ୍ଟା ଭିତରେ ରାଜ୍ୟର ବାକି ଅଞ୍ଚଳରେ ବି ପହଞ୍ଚିବ ମୌସୁମୀ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସୁଦ୍ଧା ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଭିତରକୁ ଆସିବ । ତେଣୁ ରାଜ୍ୟରେ ବର୍ଷା ପ୍ରବଳ ହେବ ।

ମୌସୁମୀ ଆଗମନ ସତ୍ତେ୍ୱ ରାଜ୍ୟରେ ଏଯାଏଁ ବିଶେଷ ବର୍ଷା ହୋଇନି । ପାଣିପାଗ ବିଭାଗ ଆକଳନ କରୁଛି, ଆଜିଠୁ ବର୍ଷା ବଢ଼ିବ । ୧୧ ଓ ୧୨ ତାରିଖରେ ପ୍ରବଳରୁ ପ୍ରବଳତର ଏବଂ କେତେକ ଜାଗାରେ ଅତି ପ୍ରବଳ ବର୍ଷା ଢାଳିବ । ୧୩-୧୪ରେ ବି ବର୍ଷା ହେବ । ତେବେ ବର୍ଷା ପରିମାଣ ସାମାନ୍ୟ କମିପାରେ ।

ପାଣିପାଗ ବିଭାଗ ସତର୍କ କରାଇଛି, ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, ସୋନପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାର କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି । ଏ ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ଏହି ୯ ଜିଲ୍ଲାରେ ।

ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ, କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ୍‌ ରାୟଗଡ଼ା, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷାସମ୍ଭାବନା ଅଛି । ଏହି ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଶନିବାର (୧୨ ତାରିଖ) ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ୯ ଜିଲ୍ଲାରେ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ନବରଙ୍ଗପୁରର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଠାଏ ଠାଏ ଅତ୍ୟନ୍ତ ପ୍ରବଳ ବର୍ଷା ଢାଳିପାରେ। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ରେ ବି ପ୍ରବଳ ବର୍ଷା ଲାଗି ରହିବ । ୧୪ରେ ବର୍ଷା ଜାରି ରହିଲେ ମଧ୍ୟ ଏହାର ପ୍ରକୋପ କମିପାରେ ।

ସମ୍ଭାବ୍ୟ ଲଘୁଚାପଜନିତ ମୌସୁମୀ ବର୍ଷା ନେଇ ବନ୍ୟା, ସହରୀ ଜଳବନ୍ଦୀ ସମସ୍ୟା ସହ ଭୂସ୍ଖଳନ ଆଶଙ୍କା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ, ଜଳ ସମ୍ପଦ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ପ୍ରସ୍ତୁତ, ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ସ୍ଥିତି ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଜଳ ସମ୍ପଦ ବିଭାଗ ବିଭିନ୍ନ ନଦୀର ଜଳସ୍ତର ଓ ନଦୀ ବନ୍ଧ ଉପରେ କଡ଼ା ନଜର ରଖିଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ଗତ ୨୪ ଘଣ୍ଟା ଭିତରେ (ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା) ନବରଙ୍ଗପୁରରେ ୮୩ ମିଲିମିଟର, ଜୟପୁରରେ ୨୩.୨, ପାରାଦୀପରେ ୬୬ ମିମି, ବଲାଙ୍ଗିରରେ ୭୨ ମିିମି, ବେଲଗାଁରେ ୭୬, ଫୁଲବାଣୀରେ ୬୨, ଡୁଙ୍ଗୁରୁପାଲିରେ ୪୪, କାକଟପୁରରେ ୩୦, ମଦନପୁର ରାମପୁରରେ ୫୩, ରାୟଗଡ଼ାରେ ୩୦, କୁତ୍ରାଗଡ଼ରେ ୭୯ ମିମି ବର୍ଷା ରେକର୍ଡ ହୋଇଛି । ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିପାରେ ।

Spread the love