ଝାଡ଼ଖଣ୍ଡ ମୁହାଁ ଲଘୁଚାପ

ଭୁବନେଶ୍ୱର,୧୫/୦୬: ଯେତିକି ଆଶା କରାଯାଉଥିଲା, ସେମିତି ବର୍ଷା ହେଲାନି । ଲଘୁଚାପ ଓଡ଼ିଶା ଅତିକ୍ରମ କରି ଝାଡ଼ଖଣ୍ଡ ପଳାଇଛି । ଏହା ପ୍ରଭାବ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ । ତଥାପି ମୌସୁମୀ ସକ୍ରିୟ ଥିବାରୁ ବର୍ଷା ଲାଗି ରହିବ । ମାତ୍ର ଏବେ ବଡ଼ ବର୍ଷା କିମ୍ବା ଲଗାଣ ବର୍ଷା ସମ୍ଭାବନା ନାହିଁ । ଏଭଳି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।

ପହିଲି ରଜରେ ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇଥିଲା ସନ୍ଧ୍ୟା ସୁଦ୍ଧା । ରାତିରେ ଆଉ କିଛି ଜାଗାରେ ବର୍ଷା ହୋଇପାରେ । ଅନୁମାନ କରାଯାଉଛି, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଙ୍ଗଳବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏହା ବାଦ୍‌ ବି ଅନେକ ଜାଗାରେ ବର୍ଷା ହୋଇପାରେ । ମଙ୍ଗଳବାର ସୁନ୍ଦରଗଡ଼ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଅନୁଗୁଳ, ଦେବଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ବୁଧବାର ଉତ୍ତର ଓଡ଼ିଶାରେ ମୁଖ୍ୟତଃ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୧୭ ଓ ୧୮ରେ ପ୍ରବଳ ବର୍ଷା ସମ୍ଭାବନା କମ୍‌ ।

ବର୍ତ୍ତମାନ ପାଗ ପ୍ରାୟତଃ ମେଘୁଆ ରହିବ । କଟକ- ଭୁବନେଶ୍ୱରରେ ମଙ୍ଗଳବାରଠାରୁ ପାଗ ସାମାନ୍ୟ ଫିଟିପାରେ । ତେବେ ବର୍ଷା ନହେଲେ ବି ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଥିବାରୁ ଆର୍ଦ୍ରତା ପରିମାଣ ଅଧିକ ରହିବ । ମୌସୁମୀ ଆଗମନ ପରେ ରାଜ୍ୟବ୍ୟାପୀ ତାତି କମିଛି ।
ବୌଦ୍ଧରେ ସର୍ବାଧିକ ୩୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୦ରୁ ୩୧ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିଛି । ସୋମବାର ସକାଳରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ଟିଟିଲାଗଡ଼ରେ ୧୨ ମିଲିମିଟର, ବାରିପଦାରେ ୬ ମିମି ବର୍ଷା ହୋଇଥିବାବେଳେ କଟକ, ଭୁବନେଶ୍ୱର ସମେତ କେତେ ଜାଗାରେ ହାଲୁକା ବର୍ଷା ଛିଞ୍ଚିଛି ।

Spread the love