ନିର୍ଦ୍ଦେଶକ ବାସୁ ଚାଟର୍ଜୀଙ୍କ ପରଲୋକ

ପ୍ରଖ୍ୟାତ ସିନେ-ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ରଚୟିତା ବାସୁ ଚାଟର୍ଜୀଙ୍କର  ଗୁରୁବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ବାସୁ ଚାଟାର୍ଜୀଙ୍କୁ ୯୩ବର୍ଷ ବୟସ ହୋଇଥିଲା। ଇଣ୍ଡିୟାନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଅଶୋକ ପଣ୍ଡିତ ଟୁଇଟ କରି ବାସୁ ଚାଟାର୍ଜୀଙ୍କ ମୃତ୍ୟୁର ଦୁଃଖଦ ଖବର ଜଣାଇଛନ୍ତି। ଅଶୋକ ପଣ୍ଡିତ ଲେଖିଛନ୍ତି, ‘ମୋତେ ଆପଣ ସମସ୍ତଙ୍କୁ ଏହା ଜଣାଇବାକୁ ଦୁଃଖ ଲାଗୁଛି କି କିମ୍ବଦନ୍ତୀ ପୁରୁଷ  ସିନେ-ନିର୍ମାତା ବାସୁ ଚାଟାର୍ଜୀ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ଅନ୍ତିମ ସଂସ୍କାର ସାନ୍ତାକ୍ରୁଜସ୍ଥିତ ଶବସଂସ୍କାରଗୃହରେ  ଦ୍ୱିପହର ସମୟରେ କରାଯିବ। ବାସୁଙ୍କ ମୃତ୍ୟୁ ସିନେ ଜଗତକୁ ଏକ ଧକ୍କା ଦେଇଛି। ବାସ୍ତବରେ ଅପଣ ବହୁତ ମନେ ପଡ଼ିବେ।’

ବାସୁ ଚାଟର୍ଜୀ ୧୯୩୦ ଜାନୁଆରୀ ୩୦ ତାରିଖରେ ଅଜମେରରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଖବର କାଗଜରେ କାର୍ଟୁନିଷ୍ଟ ଭାବେ କାମ ଆରମ୍ଭ କରିଥିଲେ। ପରେ ସିନେମା ନିର୍ମାଣ କରି ପ୍ରଖ୍ୟାତ ସିନେ-ନିର୍ମାତା ପାଲଟି ଯାଇଥିଲେ। ବାସୁ ପ୍ରଥମେ ‘ସାରା ଆକାଶ’ ସିନେମାର ନିର୍ଦ୍ଦେଶନା ଦେଇ ଡେବ୍ୟୁ କରିଥିଲେ। ଏହି ସିନେମାଟି ୧୯୬୯ରେ ରିଲିଜ ହୋଇଥିଲା। ‘ସାରା ଆକାଶ’ ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେର ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଥିଲା। ଚାଟର୍ଜୀ ପ୍ରଥମ ଚଳଚ୍ଚିତ୍ର ନିର୍ମାତା ଥିଲେ ଯିଏକି ଏକ ଭିନ୍ନ ଶୈଳୀରେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସେ ‘ଚମେଲି କି ସାଦି’ ହେଉ କିମ୍ବା ‘ଖଟା ମିଠା’ । ମଧ୍ୟବିତ୍ତ ପରିବାରକୁ ଦୃଷ୍ଟି ରଖି ତଥା ହାଲକା ରୋମାଣ୍ଟିକ୍‌ ସିନେମା ନିର୍ମାଣ କରି ସିନେ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବାସୁ। ୧୯୬୯ରୁ ୨୦୧୧ ପର୍ଯ୍ୟନ୍ତ ସିନେମା ନିର୍ଦ୍ଦେଶନା ଦେବାରେ ବାସୁ ଦା ସକ୍ରିୟ ରହିଥିଲେ। ବାସୁ ଚାଟର୍ଜୀଙ୍କୁ ୭ଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଓ ‘ଦୁର୍ଗା’ ପାଇଁ ୧୯୯୨ ମସିହାରେ ନ୍ୟାସନାଲ ଆଓ୍ଵର୍ଡ ମିଳିଛି। ୨୦୦୭ରେ ବାସୁଙ୍କୁ ଆଇଫା ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ଵର୍ଡ ବି ପ୍ରଦାନ କରାଯାଇଛି।

Spread the love