ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା, ୩ ଅଭିଯୁକ୍ତଙ୍କୁ ଜେରା କରୁଛି ପୋଲିସ

ଚନ୍ଦ୍ରଶେଖରପୁର: ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ୍ ମାମଲାର ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୁଲିସ। ଅଭିଯୁକ୍ତମାନଙ୍କର ଝାରପଡ଼ା ଜେଲରେ ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି। ଏଣେ ଏହି ମାମଲାରେ ନିବାରଣ ପାଣିଙ୍କୁ ଆୟକର ବିଭାଗ ପଚରାଉଚରା କରିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୨ ତାରିଖ ସନ୍ଧ୍ୟାରେ ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିବା ୯ ଜଣିଆ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଆଗରୁ ଗିରଫ କରିଥିଲା କମିସନରେଟ୍‌ ପୁଲିସ।  ଇନ୍‌ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନିରେ ହୋଇଥିବା ଏହି ଡକାୟତି ମାମଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ ପୁଲିସ ୩ ସପ୍ତାହରେ ଏହି ମାମଲାର ପର୍ଦ୍ଦାଫାସ କରିଥିଲା।

ଧରାପଡ଼ିଥିବା ପେସାଦାର ଡକାୟତମାନେ ହେଲେ ଅନୁଗୁଳ ରେଙ୍ଗାଲି ଡ୍ୟାମ୍‌ କଲୋନି ମନ୍ଦିରସାହି ଅଞ୍ଚଳର ହେମନ୍ତ କୁମାର ଧୀର (୩୨), ଲକ୍ଷ୍ମୀବଜାର ଅଞ୍ଚଳର ସନାତନ ନାୟକ ଓରଫ୍ ସନା (୪୨), ଭୁବନେଶ୍ବର ସାଲିଆସାହିରେ ରହୁଥିବା ଅନୁଗୁଳ ଅମଲାପଡ଼ାର ଅର୍‌ବାଜ ଖାଁ ଓରଫ୍ ବିଟୁ (୨୨), କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତର ସଞ୍ଜୟ ମଲ୍ଲିକ ଓରଫ୍ କାଳିଆ (୩୬) ଏବଂ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରହୁଥିବା ଯାଜପୁର ବରୀ ଦରଘାର ଅଜ୍‌ମର ଅଲ୍ଲୀ ଓରଫ୍ ରାଜା (୪୮)। ସେମାନଙ୍କଠାରୁ ପୁଲିସ୍ ନଗଦ ୧କୋଟି ୨ଲକ୍ଷ ଟଙ୍କା, ଗୋଟିଏ ସୁନା ହାର, ଗୋଟିଏ ଚେନ୍, ୪ଟି ମୁଦି ଓ ହଳେ କାନଫୁଲ ଜବତ କରିଛି। ଏଥିସହିତ ଏକ ଅଟୋମେଟିକ୍ ପିସ୍ତଲ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ୍ କୋଲକାତା, ଚେନ୍ନାଇ ଏବଂ ଅନୁଗୁଳ ରେଙ୍ଗାଲିରୁ ଗିରଫ କରିଛି। ତେବେ ଏହି ଡକାୟତିର ମୁଖ୍ୟ ସୂତ୍ରଧର ବାଦଲ ଏବଂ ଅନ୍ୟ ତିନି ଡକାୟତ ଧରାପଡ଼ିନଥିଲେ। କେବଳ ସୂତ୍ରଧର ବାଦଲକୁ ବାଦଦେଲେ ଅନ୍ୟ ସମସ୍ତଙ୍କ ନାଁରେ ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା ଓ ଭୁବନେଶ୍ବର ଆଦି ଅଞ୍ଚଳରେ ଡକାୟତି ମାମଲା ରହିଛି।

Spread the love