୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଆଶଙ୍କା, ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇପାରେ ବାତ୍ୟା

ଭୁବନେଶ୍ୱର ୨୫।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସ୍ୱଳ୍ପ ଓ ମଧ୍ୟମ ଅବଧି ମଡେଲ ଦକ୍ଷିଣ ଆଣ୍ଡାମାନ ସାଗରରେ ନଭେମ୍ବର ୨୯ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି। ଯାହା କ୍ରମେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଅଧିକ ଘନିଭୂତ ହେବାର ଆକଳନ କରାଯାଉଛି। ଏହି ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଓଡ଼ିଶା ସଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଛି।

ବିଭିନ୍ନ ପାଣିପାଗ ମଡେଲ ପୂର୍ବାନୁମାନରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାର ସଙ୍କେତ ଦେଉଛି। ମାସର ଶେଷ ସପ୍ତାହ ବେଳକୁ ଭୂମଧ୍ୟରେଖା ହୀନ୍ଦ ମହାସାଗର ଓ ସଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ନଭେମ୍ବର ୨୬ରୁ ଡିସେମ୍ବର ୨ ତାରିଖ ମଧ୍ୟରେ ଏହି ପ୍ରାଣାଳୀ ସୃଷ୍ଟି ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତିକରିପାରେ ବୋଲି ପୂର୍ବାନୁମାନ କରାଯାଉଛି।

ତେବେ ପାଗ ପୂର୍ବାନୁମାନରେ ଆଇଏମଡି ୨୫ ନଭେମ୍ବର ଗୁରୁବାର ଦକ୍ଷିଣ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲର କିଛି ସ୍ଥାନରୁ ଭୀଷଣରୁ ଅତି ଭୀଷଣ ବର୍ଷା ଆଶଙ୍କା କରାଯାଉଥିବା ବେଳେ ଏହି ସମୟରେ ଆସାମ, ମେଘାଲୟ ଓ ତ୍ରିପୁରାରେ ଗନ କୁହୁଡ଼ି ଆଶଙ୍କା କରିଛନ୍ତି। ତେବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସମେତ ମନାର ଉପସାଗର, କମୋରିନ ଓ ଦକ୍ଷିଣ ତାମିଲନାଡୁ ଉପକୂଳରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ  ବହିବାର ଆଶଙ୍କା କରିଛନ୍ତି। ଏଣୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ବାରଣ କରିଛନ୍ତି।

Spread the love