ଚାଷୀଙ୍କୁ ଦେଇଗଲା ଅନେକ ଦୁଃଖ: ପାଣିରେ ଲୋଟୁଛି ଧାନ ଓ ପନିପରିବା ଫସଲ

ଭୁବନେଶ୍ଵର ୦୭।୧୨: ବାତ୍ୟା ଜଓ୍ବାଦ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଧାନ ଓ ପରିବା ଫସଲ ଉଜୁଡି ଯାଇଛି । ଜଳବନ୍ଦୀ ଜମିରେ ଧାନ ବୁଡି ରହିଥିବାରୁ ଚଳିତ ବର୍ଷ ରାଜ୍ୟରେ  ଧାନର ଗୁଣବତ୍ତା କମିଯିବାର ଆଶଙ୍କା ରହିଛି । ଉପକୂଳ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଧାନଫସଲ ବୁଡି ରହିଛି । ବର୍ଷା ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏବେ ସରକାରୀ ସହାୟତା ହିଁ ଏକମାତ୍ର ଭରସା ।

ବାତ୍ୟା ସିନା ଚାଲିଯାଇଛି ହେଲେ ଚାଷୀଙ୍କୁ ଦେଇଯାଇଛି ଅନେକ ଦୁଃଖ । ପାଣିରେ ଲୋଟୁଛି ଧାନ ପନିପରିବା ଫସଲ । ସ୍ଥିତି ଯାହା ସେଥିରୁ ଦାନାଟିଏ ମିଳିବା କଷ୍ଟ । କାରଣ ବିଲରେ ପାଣି ଛାଡିଲା ବେଳକୁ ଧାନ ସଂପୂର୍ଣ୍ଣ ପଚି ଯାଇଥିବ କିମ୍ବା ଗଜା ହୋଇଯାଇଥିବ । ଯଦି ବି କିଛି ବଞ୍ଚିଗଲା ତାର ମାନ ନିମ୍ନ ଧରଣର ହୋଇଯାଇଥିବ।  ବିଶେଷ କରି  ଉପକୂଳ ଓଡିଶାରୁ ଉତ୍ପାଦିତ ଧାନର କ୍ବାଲିଟି ଠିକ୍ ରହିବନି ।  ପାଣି ବତରା ଧାନର ଏଫଏକ୍ୟୁ ହ୍ରାସ ହୋଇଯିବ । ଫଳରେ ମଣ୍ଡିରେ ଧାନ କଟନି ଛଟନି ଅଧିକ ହେବାର ଆଶଙ୍କା ରହିଛି । ପାଣି ଭିତରୁ ସଂଗ୍ରହ କରାଯାଇଥିବା ଧାନରୁ ଭଲ ଚାଉଳ  ବାହାରିବ ନାହିଁ ।  ଲଗାଣ ବର୍ଷା ଯୋଗୁ ଧାନ ବର୍ଷା ପାଣି ଖାଇଥିବାରୁ ଚାଉଳର ଗୁଣବତ୍ତା କମିଯିବ ବୋଲି ଆକଳନ କରିଛନ୍ତି ଓୟୁଏଟିର ପୁର୍ବତନ କୁଳପତି ତଥା ବିଶିଷ୍ଟ କୃଷି ପାଣିପାଗ ବିଶାରଦ ସୁରେନ୍ଦ୍ରନାଥ ପଶୁପାଳକ।

ଉପକୂଳ ଓଡ଼ିଶାର ଚାଷୀ ସମାନ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି । ଧାର କରଜ କରି କରିଥିବା ଧାନ ଓ ପରିବା ଫସଲତ ଉଜୁଡି ଗଲା । କରଜ କିପରି ସୁଝିବ ।  ସେପଟେ ରାଜସ୍ବମନ୍ତ୍ରୀ କହିଛନ୍ତି ବର୍ଷା ପୂର୍ବରୁ ଚାଷୀଙ୍କୁ ସଚେତନ କରାଯାଇଥିଲା । ତେବେ ଯେଉଁ ଜିଲ୍ଲାର ଚାଷ କ୍ଷତିଗ୍ରସ୍ତ ହୋଇଛି ସେନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଚାଷୀଙ୍କୁ କ୍ଷତିପୁରଣ ଦିଆଯିବାର ବ୍ୟବସ୍ଥା କରାଯିବ। ସେପଟେ ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀମାନେ ବି ଫିଲ୍ଡକୁ ଯାଇ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି । ଉଜୁଡା କ୍ଷେତକୁ ଦେଖି ଲୁହ ଗଡାଉଥିବା ଚାଷୀଙ୍କ ପାଇଁ ଏବେ କେବଳ ସରକାରଙ୍କ ସହାୟତା ହିଁ ଏକମାତ୍ର ଭରସା ।

Spread the love