ଲ୍ୟାଣ୍ଡଫଲ ପୂର୍ବରୁ ଦୁର୍ବଳ ହେବ ବାତ୍ୟା ! ଅଧିକ ବର୍ଷା କିନ୍ତୁ କମ୍ ପବନ ସମ୍ଭାବନା

ଭୁବନେଶ୍ୱର,୦୭/୦୫: ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବାତ୍ୟା । ଦିଗ ବଦଳାଇ ଉତ୍ତର ପୂର୍ବ ଅର୍ଥାତ୍‌ ବାଂଲାଦେଶ ମୁହାଁ ବି ହୋଇପାରେ । ବିଶେଷ ପବନ ଆଶଙ୍କା ନାହିଁ । କିନ୍ତୁ ଉପକୂଳରେ ଭଲ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଏମିତି ପୂର୍ବାନୁମାନ ମିଳିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହୁଛି ୧୦ ତାରିଖ ସକାଳେ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । କିନ୍ତୁ ସେଠାରୁ କୁଆଡ଼େ ଯିବ, ଓଡ଼ିଶା, ଆନ୍ଧ୍ର କି ଆଉ କୁଆଡ଼େ ସେ ସଂପର୍କରେ କୌଣସି ପୂର୍ବାନୁମାନ ଦିଆଯାଇ ନାହିଁ । କିନ୍ତୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ଭାରୀ ବର୍ଷା ସମ୍ଭାବନା ରହିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ଉପକୂଳ ଛୁଇଁବା ଆଗରୁ ଦୁର୍ବଳ ହେଇଯିବ । ୯ ତାରିଖରେ ଲଘୁଚାପ ଗଭୀର ଅବପାତ ହେବ । କିନ୍ତୁ ଏହା ଆଉ ଅଧିକ ଘନୀଭୂତ ହେବନି । ପ୍ରତିକୂଳ ପାଗ ଏହାକୁ ଅଧିକ ଘନୀଭୂତ ହେବାରେ ବାଧା ଦେବ । ଏହା ଯଦିଓ ବାତ୍ୟା ରୂପ ନେବ କିନ୍ତୁ ଆଦୌ ପ୍ରଭାବୀ ହେବନି । ସର୍ବାଧିକ ପବନର ବେଗ ୬୫ କିଲୋମିଟର ଭିତରେ ରହିବ । ତା ପରେ ଦୁର୍ବଳ ହେବ । ଉପକୂଳ ଛୁଇଁବା ବେଳେ ବାତ୍ୟା ଅବପାତକୁ ଖସିଆସିବ । ୧୦ରେ ଏହା ଓଡ଼ିଶା ଉପକୂଳ ଛୁଇଁପାରେ । ପୁରୀରୁ ପାରାଦୀପ ଭିତରେ ଓଡିଶା ଛୁଇଁ ପାରେ କିମ୍ବା ବାଂଲାଦେଶ ମୁହାଁ ହୋଇପାରେ ।

ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ଆଗରୁ ଦୁର୍ବଳ ହୋଇଯିବ । ସମୁଦ୍ର ପତ୍ତନରେ କମ୍‌ ତାପମାତ୍ରା ଓ ସ୍ଥଳଭାଗରେ ଜଳୀୟବାଷ୍ପର ଅଭାବ ଯୋଗୁ ବାତ୍ୟା ବଳ ଜୁଟାଇ ପାରିବ ନାହିଁ । ଦିଗ ବଦଳାଇ ଉତ୍ତର ଦିଗକୁ ମଧ୍ୟ ଗତି କରିପାରେ ।

ଆଇଏମ୍‌ଡି ଅନୁସାରେ ଶନିବାର ସନ୍ଧ୍ୟାରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ ହେବ । ୮ ତାରିଖ ସନ୍ଧ୍ୟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ହେବ । ୧୦ରେ ବାତ୍ୟା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ଆଇଏମ୍‌ଡି ବାତ୍ୟାର ଗତିପଥ ସମ୍ପର୍କରେ ଯେଉଁ ମାନଚିତ୍ର ଜାରି କରିଛି ସେଥିରେ ୧୦ ତାରିଖ ସକାଳ ସାଢେ ୫ଟା ବେଳକୁ ବାତ୍ୟା ୧୭.୬ ଦ୍ରାଘିମା ଓ ୮୪.୯ ଅକ୍ଷାଂଶ ପାଖରେ ଥିବ । ଏହା ନିର୍ଦ୍ଦିଷ୍ଟ ଭାବେ ବିଶାଖପାଟଣାଠାରୁ ୧୭୦ କିମି ପୂର୍ବରେ ସମୁଦ୍ର ଭିତରେ ଥିବ । ସେବେ ପବନର ବେଗ ଘଣ୍ଟା ପ୍ରତି ୮୩ କିଲୋମିଟର ରହିବ ।

ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ଆଗୁଆ ପ୍ରସ୍ତୁତି କରିଛନ୍ତି । ସବୁ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବ । ୮ ତାରିଖ ସକାଳ ପରଠାରୁ ସମୁଦ୍ର ଭିତରକୁ ଡଙ୍ଗା ଛଡ଼ା ଯିବନି । ସବୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ । ଏବେ ଏସ୍‌ଆରସି ଅଫିସ୍‌ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଚାଲୁଛି । ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲି ଆମ ସହ ଯୋଗାଯୋଗରେ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ହୋଇସାରିଛୁ । ଶନିବାର ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯିବ । ଏହାର ରକ୍ଷଣାବେକ୍ଷଣ ତାଲିକା ଜିଲ୍ଲାପାଳଙ୍କୁ ମଗାସରିଛି । ୧୭ ଏନଡିଆରଏଫ୍‌ ଟିମ୍‌ ଓ ୨୦ ଓଡ୍ରାଫ୍‌ ଟିମ୍‌କୁ ନିୟୋଜିତ କରାଯିବ । ୧୭୫ ଅଗ୍ନିଶମ ଟିମ୍‌କୁ ନିୟୋଜିତ କରିବାକୁ ଯୋଜନା ଅଛି । ଶନିବାର ସନ୍ଧ୍ୟାରେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବା ପରେ ସେମାନଙ୍କୁ ନିୟୋଜିତ କରାଯିିବ ।

୮ ତାରିଖ ସକାଳ ସୁଦ୍ଧା ସମସ୍ତ ମତ୍ସଜୀବୀ ସମୁଦ୍ରରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୌସେନା ଓ ତଟରକ୍ଷୀ ବାହିନୀ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ କୁହାଯାଇଛି । ଅମଳ ହୋଇଥିବା ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଚାଷୀମାନଙ୍କ ପାଇଁ କୃଷି ବିଭାଗ ଆଡଭାଇଜରି ଜାରି କରିବ ।

ବିଦ୍ୟୁତ୍‌ ସେବା ପ୍ରଭାବିତ ହେଲେ ଡିଜି ସେଟ୍‌ ଚଲାଇବାକୁ ପ୍ରସ୍ତୁତ ହେବାକୁ ଟେଲିକମ୍‌ ଅପରେଟରଙ୍କୁ କୁହାଯାଇଛି । ନେଟୱର୍କ ଯେଭଳି ପ୍ରଭାବିତ ନ ହେବ ସେଥିପାଇଁ ଅତିରିକ୍ତ ସେଲ୍‌ ଅନ୍‌ ହ୍ୱିଲସ୍‌ ରଖାଯିବ । ବାତ୍ୟାରେ ଟାୱାର କ୍ଷତିଗ୍ରସ୍ତ ହେଲେ ଅନ୍ୟ ଅପରେଟରଙ୍କ ଟାୱାର ସହାୟତାରେ ନେଟୱର୍କ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି । ସେହିଭଳି ଆବଶ୍ୟ ପଡିଲେ ଗଛ କଟା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ଯୋଗାଇବ । ପୂର୍ତ୍ତ ବିଭାଗ ଇଞ୍ଜିନିୟରିଂ ଟିମ୍‌ ଦେବେ । ୧୮ ଜିଲ୍ଲା ପାଇଁ ଅଧିକ ସତର୍କତା ଜାରି ହୋଇଛି । ଜିଲ୍ଲାପାଳମାନେ ଏହି ଜିଲ୍ଲାରେ ଖାଦ୍ୟ ସାମଗ୍ରୀର ଷ୍ଟକ୍‌ ଯାଞ୍ଚ କରି ସାରିଛନ୍ତି । କୃତ୍ରିମ ଦରବୃଦ୍ଧିକୁ ଏଡାଇବାକୁ ସବୁ ଜିଲ୍ଲାରେ ମାର୍କେଟ୍‌ ଦର ଯାଞ୍ଚ ହୋଇଛି ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି ।

Spread the love