ଆତଙ୍କିତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ଅମ୍ଫାନ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପକ;ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

 

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜନା ପ୍ରସ୍ତୁତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଓଡ଼ିଶାବାସୀ ମହାବାତ୍ୟାଠାରୁ ଆରମ୍ଭ କରି ଫନି, ତିତଲି, ବୁଲବୁଲ, ଫାଇଲିନ୍‌, ହୁଡହୁଡ ଆଦି ଅନେକ ବାତ୍ୟାର ସଫଳତାର ସହ ମୁକାବିଲ କରିଆସିଛନ୍ତି । ତେଣୁ ଆତଙ୍କିତ ନ ହୋଇ ଅମ୍ଫାନ ର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏନଡିଆରଏଫ୍‌, ଓଡିଆରଏଏଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହ ବିପଦଶଙ୍କୁଳ ଅଂଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୂର୍ତ, ଶକ୍ତି, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୟରେ ମାଛଧରା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ରାଜ୍ୟ ପ୍ରଶାସନ ବର୍ତମାନ କୋଭିଡ ୧୯ ରୋଗ ନିୟନ୍ତ୍ରଣରେ ସଫଳତାର ସହ କାମ କରିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୃଣମୂଳକ ସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଟିମ୍ ଓଡ଼ିଶାର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଧନ୍ୟବାନ ଜଣାଇଛନ୍ତି ।

ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ, ଅମ୍ଫାନର ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହିତ ତାଙ୍କର ଆଜି ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅମ୍ଫାନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Spread the love