୨୯ ବର୍ଷରେ ପାଦ ଦେଲା ବୌଦ୍ଧ ଜିଲ୍ଲା

୨୮ ପୁରି ୨୯ ଚାଲିଲା । ଆଜି ୨୯ ବର୍ଷରେ ପାଦ ଦେଲା ବୌଦ୍ଧ ଜିଲ୍ଲା । ୧୯୯୪ ମସିହା ଜାନୁଆରୀ ୨ ତାରିଖରେ ଅଭିବକ୍ତ ଫୁଲବାଣୀ ଜିଲ୍ଲାରୁ ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଭାବେ ଗଢି ଉଠିଥିଲା । ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଳକ ସହ ଗୋଟିଏ ସବଡିଭିଜନକୁ ନେଇ ବୌଦ୍ଧ ଜିଲ୍ଲା ଗଠନ ହୋଇଛି । ୨୯ ବର୍ଷରେ ପାଦ ଥାପିଥିବା ଏହି ଜିଲ୍ଲା ୩୦ଜଣ ଜିଲ୍ଲାପାଳଙ୍କୁ ପାଇଛି । ଏହି ଜିଲ୍ଲା ଆଗାମୀ ଦିନରେ ପଶ୍ଟିମ ଓଡ଼ିଶା ସହ ସଂଯୋଗ ହେବାକୁ ଯାଉଛି । ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ବଳରେ ଏବେ ବିକାଶ କ୍ଷେତ୍ରରେ ଅଗ୍ରଗତି କରୁଛି ବୌଦ୍ଧ ଜିଲ୍ଲା । ମର୍ଜାକୁଦ ଦ୍ୱୀପର ବିକାଶ ପାଇଁ ବ୍ରିଜ ନିର୍ମାଣ ଠାରୁ ଆରମ୍ଭ କରି ପର୍ଯ୍ୟଟନର ବିକାଶ ପାଇଁ ବ୍ୟାପକ ଯୋଜନା କରାଯାଇଛି ।ଆଗାମୀ ଦିନରେ ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ନୟାଗଡ଼ ଓ ଅନୁଗୋଳ ଜିଲ୍ଲା ସହ ବାଣିଜ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ସେତୁ ନିର୍ମାଣ ମଧ୍ୟ ଚାଲିଛି । ଜିଲ୍ଲାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଡେଲ ଡିଗ୍ରୀ କଲେଜ ସ୍ଥାପନ ହୋଇଛି ।ଏବଂ ବିଇଡି କଲେଜ ପାଇଁ ପ୍ରସ୍ତାବ ଦିଆଯାଇଛି । ରେଳପଥ ବିକାଶ କ୍ଷେତ୍ରରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଆରମ୍ଭ ହୋଇଛି । ଆଉ ସମ୍ବଲପୁର-ଗୋପାଳପୁର ରେଳପଥ ନିର୍ମାଣ ପାଇଁ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଉଦ୍ୟମ ଆରମ୍ଭ କରିଛନ୍ତି ।ଜିଲ୍ଲାର ଗରିବ ପରିବାର ପାଇଁ ବିଜୁଳି ବ୍ୟବସ୍ଥା, ରୋଜଗାର କ୍ଷେତ୍ରରେ କର୍ମନିଯୁକ୍ତି କାର୍ଯ୍ୟକ୍ରମ ହାତକୁ ନେଇ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଯାଉଛି । ବାରମ୍ବାର ଦାବି ପରେ ଦକ୍ଷିଣାଞ୍ଚଳ ଆରଡିସି ଅଧିନରୁ ଏବେ ପଶ୍ଚିମାଞ୍ଚଳ ଆରଡିସିରେ ସାମିଲ କରାଯାଉଛି । କଣ୍ଟାମାଳ ବ୍ଲକକୁ ସବଡିଭିଜନ୍‌ ମାନ୍ୟତା, ବୌଦ୍ଧ ବିଜ୍ଞାପିତ ପରିଷଦ ଅଞ୍ଚଳକୁ ପୌର ପରିଷଦ ମାନ୍ୟତା, ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ଦାବି ଉଠାଇଛନ୍ତି ଅଞ୍ଚଳବାସୀ ।

Spread the love