ଭୁବନେଶ୍ୱରରୁ ମଙ୍ଗଳବାର ଆଉ ନୂଆ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ହୋମ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୫ଟି ସ୍ଥାନୀୟ ମାମଲା ରହିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ହୋମ କ୍ୱାରେଣ୍ଟାଇନ୍ରେ ଥିବା ଆକ୍ରାନ୍ତ ଜଣକ ଜଣେ ୫୬ବର୍ଷୀୟ ରେଳ କର୍ମଚାରୀ । ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ।ସେହିପରି ୫ଟି ସ୍ଥାନୀୟ ମାମଲା ମଧ୍ୟରୁ ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ବାଳିକା, ଜଣେ ବୃଦ୍ଧା ଓ ଜଣେ ବାଳକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବମିଖାଲ କେନାଲ ରୋଡ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ୧୩ବର୍ଷ ବୟସର ବାଳକ । ଏଥିସହ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଜଣେ ୩୨ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କିଛିଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ୩୨୦ରେ ପହଞ୍ଚିଥିବା ବେଳେ ୧୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।