‘କେବଳ ବିଶ୍ବବିଦ୍ୟାଳୟ ପାଇଁ ବିଡିଏ ପ୍ରକଳ୍ପ’: ଖର୍ଚ୍ଚ ହେବ ୧୫ କୋଟି, କର୍ତ୍ତୃପକ୍ଷ ଦେଇଛନ୍ତି ସ୍ବୀକୃତି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ୨୦ ଏକର ଜମିରେ ନିର୍ମାଣ ହେବ ପାନ୍ଥନିବାସ, ପାର୍କ ଓ ଫୁଡ୍‌ ଷ୍ଟଲ୍‌। ଏଭଳି ଏକ ଯୋଜନା ହୋଇଥିବା ଅଭିଯୋଗ କରି ଏବିଭିପି ପ୍ରବଳ ବିରୋଧ କରିଥିଲା। କିନ୍ତୁ ଏ ସବୁ ପ୍ରକଳ୍ପ ସେଠାରେ ହେବାର ନାହିଁ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂ। ବିଡିଏର ପ୍ରସ୍ତାବିତ ପ୍ରକଳ୍ପ କେବଳ ବିଦ୍ୟାର୍ଥୀଙ୍କ କାମରେ ଲାଗିବ ବୋଲି ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ, ବାଣୀବିହାର ଭିତର ଦେଇ ଯାଇଥିବା‌ ପ୍ରାକୃତିକ ନଳା ନଂ. ୪ର ବିକାଶ କରିବା ଯୋଜନା ହୋଇଥିଲା। କାରଣ ଏହା ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ଗଙ୍ଗୁଆକୁ ପାଣି ନିଷ୍କାସନ ହୋଇପାରୁନି। ସମଗ୍ର କ୍ୟାମ୍ପସ୍‌ ପରିସରରେ ପଚା ପାଣିର ଦୁର୍ଗନ୍ଧ ଖେଳିଯାଉଛି। ଏଣୁ ଏହାକୁ ସଫା କରିବା ସହ ପାଖରେ ଥିବା ଅନ୍ୟ ଜାଗା ସବୁର ଉନ୍ନତୀକରଣ କରିବାକୁ ଯୋଜନା ହୋଇଥିଲା। ସ୍ମାର୍ଟ ସିଟି ଲିମିଟେଡ୍‌ ଏହାର ଡିପିଆର ପ୍ରସ୍ତୁତ କରିଥିବା ବେଳେ ବିଡିଏ ଏହାର ଉନ୍ନତୀକରଣ ଦାୟିତ୍ବ ନେଇଥିଲା।ଏ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ଏପ୍ରିଲ ୨୬ ତାରିଖରେ ବସିଥିବା ସିଣ୍ଡିକେଟ୍‌ ବୈଠକରେ ବିଡିଏକୁ ସ୍ବୀକୃତି(ଏନ୍‌ଓସି) ପ୍ରଦାନ କରିଥିଲେ। ଏଥିରେ ବିଡିଏ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିବା ସହ ଟେଣ୍ଡର ମଧ୍ୟ କରିସାରିଛି। ଡିପିଆର ମୁତାବକ ଏହି ଡ୍ରେନ୍‌କୁ ଆବର୍ଜନାମୁକ୍ତ କରି ପାଣି ବିଶୋଧନ କରାଯିବ।

ଡିଡିସିଇ, ୟୁନିଭରସିଟି ଅଫ୍‌ ଲ କଲେଜ୍‌ ଓ ୟୁନିଭରସିଟି ପ୍ରେସ୍‌ ବିଶ୍ବବିଦ୍ୟାଳୟର ଅଙ୍ଗ ହୋଇଥିଲେ ମଧ୍ୟ ପରିସର ବାହାରେ ରହିଛି। ମଝିରେ ନଳା ଥିବାରୁ ବୁଲିବୁଲି ଯିବାକୁ ପଡ଼ୁଛି। ଏଣୁ ଏହି ଯୋଜନାରେ ଏହି ସବୁ ଅନୁଷ୍ଠାନକୁ ସଂଯୋଗ ବ୍ୟବସ୍ଥା କରାଯାଉଛି। ଆବଶ୍ୟକ ପଡ଼ିଲେ ଗୋଟିଏ କିମ୍ବା ଏକାଧିକ ପୋଲ କରାଯାଇ ବାଣୀବିହାର ଭିତରୁ ସିଧାସଳଖ ସଂଯୋଗ କରାଯିବ। ଏହା ସହ ଗୋବିନ୍ଦ ସାହୁ ମାର୍କେଟ୍‌ ପାଖରେ ଥିବା ଖାଲି ଜାଗାର ବିକାଶ ହେବ। ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାର ଯୋଗ୍ୟ ହେବ। ୧ ନମ୍ବର ଛାତ୍ରାବାସ ଓ କନ୍‌ଭୋକେସନ ହଲ୍‌ ନିକଟରେ ମଧ୍ୟ ଖାଲି ଜାଗାର ବିକାଶ ହେବ। ଏ ସବୁ କେବଳ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ କୌଣସି ବାହାର ଲୋକଙ୍କର ଚଳପ୍ରଚଳ ହେବା ସୁଯୋଗ ରହିବ ନାହିଁ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି।

Spread the love