ଭାଲୁକୁ ପିଟି ପିଟି ମାରିଦେଲେ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ରେଞ୍ଜ ଅଞ୍ଚଳର ଏକ ଗ୍ରାମରେ ଶନିବାର ଏକ ଭାଲୁକୁ ପିଟିପିଟି ଲୋକେ ମାରି ଦେଇଥିବା ଚର୍ଚ୍ଚା ହେଉଛି। ଘଟଣାବେଳର ଏକ ଭିଡିଓ ବନ ବିଭାଗର ହସ୍ତଗତ ହୋଇଥିବାରୁ ସେହି ଆଧାରରେ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଛି। ବନ ବିଭାଗର ସୂଚନା ମୁତାବକ, ମଧ୍ୟାହ୍ନ ୧୨ଟାରେ ପାଖ ଜଙ୍ଗଲରୁ ୩ଟି ଭାଲୁ ଉକ୍ତ ଗ୍ରାମକୁ ପଶିଆସିଥିଲେ।

ଗ୍ରାମବାସୀ ଘଉଡାଇବାରୁ ୨ଟି ଜଙ୍ଗଲକୁ ଚାଲିଯାଇଥିଲେ। ଗୋଟିଏ ଭାଲୁ ରହିଯିବାରୁ ଗ୍ରାମବାସୀ ଠେଙ୍ଗା, ଟାଙ୍ଗିଆରେ ଆକ୍ରମଣ କରି ମାରି ଦେଇଥିବା ଅଭିଯୋଗ ହୋଇଛି। ଖମାର ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ ହେଁ ଭାଲୁର ମୃତଦେହ ପାଇ ନ ଥିଲେ।

ଏ ସମ୍ପର୍କରେ ରେଞ୍ଜର ରମାକାନ୍ତ ସେଠୀ କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ମିଳିଛି। ଏହାର ତଦନ୍ତ କରାଯିବ। ଫରେଷ୍ଟର ତୁଷାର ପ୍ରଧାନ ଘଟଣା ସତ୍ୟ ବୋଲି କହିଛନ୍ତି। ଭାଲୁକୁ ଲୋକେ ମାରୁଥିବା ସମୟର ଏକ ଭିଡିଓ ହସ୍ତଗତ ହୋଇଛି। ସେଇ ଆଧାରରେ ଜଣଙ୍କୁ ଅଟକ ରଖି ପଚାରଉଚରା କରାଯାଉଛି। ଖୁବ୍‌ଶୀଘ୍ର ସମ୍ପୃକ୍ତ ଥିବା ଲୋକମାନଙ୍କୁ ଗିରଫ କରାଯିବ ବୋଲି ପ୍ରଧାନ କହିଛନ୍ତି|

Spread the love