ଉଜ୍ଜଳ ତ୍ୱଚା ପାଇଁ ଘରୋଇ ଉପଚାର

ସାଧାରଣତଃ ସୁନ୍ଦର ଓ ଚିକ୍କଣ ତ୍ୱଚା ପାଇବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି। ହେଲେ କାହାକୁ ସୁଫଳ ମିଳେ ତ ପୁଣି ଆଉ କାହାର ବିଭିନ୍ନ ସାମଗ୍ରୀର ବ୍ୟବହାର କରିବା ଦ୍ବାରା ପ୍ରତିକ୍ରିୟା ସୃଷ୍ଟି ହୋଇ ବିପରୀତ ଫଳ ମିଳିଥାଏ। ତେବେ ଏପରି କିଛି ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ବାରା ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ତ୍ବଚା ଉଜ୍ବଳ ଓ ଚିକ୍କଣ ହୋଇଥାଏ। ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

ଯଦି ଆପଣଙ୍କ ତ୍ୱଚା ତେଲିଆ ଓ ମୁହଁରେ ବ୍ରଣ ହେଉଛି, ପାଚିଲା ଅମୃତଭଣ୍ଡା ବଟା, ଚନ୍ଦନ ପାଉଡର କିମ୍ବା ମୁଲତାନି ମାଟି, ମହୁକୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍ ବ୍ୟବହାର କରନ୍ତୁ।

ମୁହଁ ପାଇଁ ମହୁ ଖୁବ୍ ଲାଭଦାୟକ ହୋଇଥାଏ। ମାତ୍ର ଗୋଟିଏ ବୁନ୍ଦା ମହୁ ଆଣି ସେଥିରେ ସାମାନ୍ୟ ଗୋଲାପ ଜଳ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପଯ୍ୟନ୍ତ ମାଲିସ କରନ୍ତୁ। ଦେଖିବେ ଆପଣଙ୍କ ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।

 ହଳଦୀ ମଧ୍ୟ ତ୍ବଚା ପାଇଁ ବହୁତ ଉପକାରୀ। ଆପଣ ସାମାନ୍ୟ ହଳଦୀଗୁଣ୍ଡ ହାତରେ ନେଇ ସେଥିରେ ଟିକେ ମହୁ ଓ ପାଣି ମାଶାଇ ମିଶ୍ରଣ କରି ମୁହଁରେ ଲେପ ଦିଅନ୍ତୁ। ଲେପ ଶୁଖିଯିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଚେହେରାରେ ଔଜଲ୍ୟ ଆଣିଥାଏ।

ଘରେ ଯଦି ମରା ନଡ଼ିଆ ତେଲ ଅଛି ତେବେ ଖୁବ୍ ଭଲ। ମରା ନଡ଼ିଆ ତେଲକୁ ମୁହଁରେ ଦୈନିକ ମାଲିସ୍ କରିବା ଦ୍ୱାରା ମୁହଁର ଚମକ ବଢ଼ିଥାଏ।

ଦୈନିକ ଘିକୁଆଁରୀ ରସକୁ ମୁହଁରେ ଲଗାଇଲେ ତ୍ୱଚା ନରମ ହେବା ସହ ମୁହଁରେ ଥିବା ଧୂଳି କଣିକା ସବୁ ବାହାରି ଯାଇଥା’ନ୍ତି।

 ସମସ୍ତେ ଜାଣନ୍ତି ଯେ ପାଣି ପିଇବା ସ୍ବାସ୍ଥ୍ୟ ପ୍ରତି ବିଶେଷ କରି ତ୍ୱଚା ପାଇଁ ବହୁତ ଜରୁରୀ। ଯିଏ ଆବଶ୍ୟକ ମାତ୍ରାର ପାଣି ପିଅନ୍ତି ତାଙ୍କ ତ୍ୱଚା ଚିକ୍କଣ ହୋଇଥାଏ। ବ୍ରଣ ସମସ୍ୟା ମଧ୍ୟ ପାଖ ପଶେ ନାହିଁ।

 ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଫଳରେ ତ୍ୱଚା ଚିକ୍କଣ ଦେଖାଯିବ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚମକିବ। କଲରା, ଲାଉ ଏବଂ ଗାଜର ରସ ପିଇବା ମଧ୍ୟ ତ୍ବଚା ପାଇଁ ଖୁବ୍ ଲାଭଦାୟକ।

ଚା, କଫି କିମ୍ବା ଫାଷ୍ଟଫୁଡ୍‌ରୁ ନିଜକୁ ଦୂରେଇ ରଖନ୍ତୁ। ମନେ ରଖନ୍ତୁ ଫାଷ୍ଟଫୁଡ୍ ପ୍ରିୟ ଲୋକଙ୍କ ମଧ୍ୟରେ ଖୁବ୍ କମ୍ ବୟସରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡ଼େ।

 ମଝିରେ ମଝିରେ ଗରମ ପାଣିରେ ମୁହଁକୁ ବାମ୍ଫ ଦିଅନ୍ତୁ। ଫଳରେ ଆପଣଙ୍କ ମୁହଁରେ ଥିବା ଧୂଳିକଣିକା ବାହାରିଯିବ ଏବଂ ଆପଣଙ୍କ ମୁହଁ ପୂର୍ବପେକ୍ଷା ଉଜ୍ୱଳ ଦିଶିବ। ଅତି କମ୍ରେ  ସପ୍ତାହକୁ ଥରୁଟିଏ ଏହି ବାମ୍ଫ ଦିଅନ୍ତୁ।

 ଖରାରେ ଯାଉଥିଲେ ସନ୍‌ସ୍କ୍ରିନ୍ ଲୋସନ ନିଶ୍ଚୟ ଲଗାନ୍ତୁ। ନଚେତ ସୂଯ୍ୟକିରଣ ମୁହଁରେ ବାଜି ମୁହଁର ଉଜ୍ବଳତା ହ୍ରାସ ପାଇବା ସହ ଯୁବାପଣ କ୍ଷୟ ହୋଇଥାଏ।

ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ। ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ।

 ଦୁଇ ଚାମଚ ଘିକୁଆଁରି, ଅଳ୍ପ ହଳଦୀଗୁଣ୍ଡ, ଏକ ଚାମଚ ଲେଖାଏଁ ମହୁ ଏବଂ କ୍ଷୀରକୁ ଭଳ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାନ୍ତୁ। ୨୦ ମିନିଟ୍ ରଖିବା ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏପରି କରିବା ଦ୍ୱାରା ତ୍ୱଚାର ପ୍ରାକୃତିକ ଉଜ୍ଜ୍ୱଳତା ଆସିଥାଏ।

 ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇ ତିନି ବୁନ୍ଦା ଅଲିଭ୍ ଅଏଲ୍ ନେଇ ମୁହଁରେ ମାଲିସ କରନ୍ତୁ। ମୁହଁରେ ଗୋଲାକାରରେ ତଳୁ ଉପରକୁ ୨-୩ ମିନିଟ୍ ମସାଜ କରିବା ପରେ ଏକ ଟାୱେଲକୁ ଉଷୁମ ପାଣିରେ ବୁଡାଇ ଚିପୁଡି ମୁହଁରେ ୩୦-୪୦ ସେକେଣ୍ଡ ପଯ୍ୟନ୍ତ ବାମ୍ଫ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହା ତ୍ୱଚାର ଶୁଷ୍କତା ଦୂର କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ।

Spread the love