ବେଲପତ୍ର ମହାଦେବଙ୍କ ପ୍ରିୟ କାହିଁକି

ଶିବପୁରାଣରେ ବେଲ ଗଛକୁ ଶିବଙ୍କ ସ୍ବରୂପ ବୋଲି କୁହାଯାଇଛି। ବେଲ ଗଛ ଯୋଗୁଁ ଘରେ ସକାରାତ୍ମକତା ବଜାୟ ରହିଥାଏ। ବେଲ ଗଛ ଘରର ଉତ୍ତର-ପଶ୍ଚିମ କୋଣରେ ଲଗାଇବା ଶୁଭ ହୋଇଥାଏ। ଶିବଲିଙ୍ଗରେ ଚଢ଼ାଯାଉଥିବା ବେଲ ପତ୍ର ଅନେକ ଦିନ ଯାଏଁ ବାସି ହୁଏ ନାହିଁ, ତେଣୁ ବେଲପତ୍ର ଅଭାବରେ ଏହାକୁ ଧୋଇ ପୁନର୍ବାର ବ୍ୟବହାର କରାଯାଇପାରିବ। ଭଗବାନ ଶିବଙ୍କୁ କେବଳ ତ୍ରିଶାଖା ବେଲ ପତ୍ର ଅର୍ପଣ କରାଯିବା ଉଚିତ। କିନ୍ତୁ ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ରବିବାର ଦିନ ବେଲ ପତ୍ର ତୋଳିବା ନିଷିଦ୍ଧ। ଶିବ ଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିବା ପାଇଁ ଅନାମିକା, ମଧ୍ୟମା ଓ ବୁଢ଼ା ଆଙ୍ଗୁଠି ବ୍ୟବହାର କରାଯିବାର ବିଧି ରହିଛି।ଦେବ ଦେବ ମହାଦେବଙ୍କ ପୂଜାଚ୍ଚର୍ନାରେ ବିଭିନ୍ନ ଦ୍ରବ୍ୟ ଅର୍ପଣ କରାଯାଏ। ମାତ୍ର ଭଗବାନ ଭୋଳାଶଙ୍କରଙ୍କ ସୁବୁଠୁ ଅଧିକ ପ୍ରିୟ ବେଲପତ୍ର। ପୌରାଣିକ କଥାନୁସାରେ, ଦେବୀ ପାର୍ବତୀଙ୍କ କପାଳରୁ ଝାଳ ବାହାରି ମନ୍ଦାର ପର୍ବତ ଉପରେ ପଡ଼ିଥଲା। ସେହି ଝାଳରୁ ବେଲ ଗଛର ସୃଷ୍ଟି ବୋଲି କୁହାଯାଏ। ଏହି ଗଛର ମୂଳରେ ଗିରିଜା, ଗଣ୍ଡିରେ ମାହେଶ୍ବରୀ, ଶାଖାରେ ଦକ୍ଷାୟିନୀ, ପତ୍ରରେ ପାର୍ବତୀ, ଫୁଲରେ ଗୌରୀ ଏବଂ ଫଳରେ ଦେବୀ କାତ୍ୟାୟିନୀ ବାସ କରିଥାନ୍ତି। ଏହି କାରଣରୁ ବେଲ ଗଛର ପୌରାଣିକ ମହତ୍ତ୍ବ ରହିଛି। ସମସ୍ତ ତୀର୍ଥ ବେଲ ପତ୍ରର ମୂଳ ଭାଗରେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ। ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କଲେ ସମସ୍ତ ତୀର୍ଥଯାତ୍ରାର ପୁଣ୍ୟ ମିଳିଥାଏ।

Spread the love