ବେଙ୍ଗଲ ସରକାର ବଦଳାଇଲେ ମାତୃ ଯୋଜନା ପ୍ରକଳ୍ପର ନାମ, ଜାଣନ୍ତୁ ରଖିଲେ କ’ଣ?
କୋଲକାତା ୯।୧୦: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କେନ୍ଦ୍ରୀୟ ପାଣ୍ଠି ପାଇବା ଲାଗି ଶେଷରେ ‘ବାଂଲା ମାତୃ ଯୋଜନା’ର ନାମ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଚିବାଳୟ ନବାନ୍ନ ସୂତ୍ରାନୁସାରେ ରାଜ୍ୟ ସରକାର ବଙ୍ଗଳା ମାତୃ ପ୍ରକଳ୍ପର ନାମ ବଦଳାଇ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ କରିବା ଲାଗି କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବାଦେ ରାଜ୍ୟ ସରକାରଙ୍କୁ ଯୋଜନା ବଦଳେ ମିଳିବାକୁ ଥିବା କେନ୍ଦ୍ରୀୟ ରାଶି ମିଳିଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଏହି ଯୋଜନାରେ ୧୬୦ କୋଟି ଟଙ୍କା ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଯୋଜନା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନାର ନାମ ରାଜ୍ୟ ସରକାର ବଦଳାଇ ବାଂଲା ମାତୃ ପ୍ରକଳ୍ପ କରିଦେଇଥିଲେ। ଏଣୁ କେନ୍ଦ୍ର ସରକାର ରାଜ୍ୟର ଯୋଜନା ଲାଗି ପାଣ୍ଠିକୁ ବନ୍ଦ କରିଦେଇଥିଲେ। ଫଳରେ ରାଜ୍ୟର ଗର୍ବବତୀ ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ବନ୍ଦ ହୋଇଯାଇଥିଲା।
ତେବେ କେବଳ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ନୁହେଁ ମମତା ସରକାର ରାଜ୍ୟରେ କେନ୍ଦ୍ର ପ୍ରାୟୋଜିତ ଗ୍ରାମୀଣ ସଡ଼କ ଯୋଜନାରୁ ଆରମ୍ଭ କରି ପିଏମ ଆବାସ ଯୋଜନା ଓ ରେସନ ଯୋଜନା ଆଦିର ନାମ ବଦଳାଇ ଦେଇଥିଲେ। ଏଣୁ କେନ୍ଦ୍ର ସରକାର ଅସନ୍ତୁଷ୍ଟ ହୋଇ ଏହି ସବୁ ଯୋଜନାକୁ ପାଣ୍ଠି ପ୍ରଦାନ ବନ୍ଦ କରିଦେଇଛନ୍ତି। ତେବେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ରକୁ ପତ୍ର ଲେଖି ବେଙ୍ଗଲରେ ଏହି ଯୋଜନା ଏବେ ପ୍ରଧାନମନ୍ତ୍ରୀ ମାତୃବନନ୍ଦନା ଯୋଜନା ନାମରେ ଚାଲିବ ବୋଲି କୁହାଯାଇଥିଲା। ସେହି ଅନୁସାରେ ଯୋଜନାର ସବୁ କାଗଜ ପତ୍ର ବଦଳାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।