ଯୁବକଙ୍କୁ ଟେକି ନେଇ ନିଆଁ ଲଗାଇ ଦେଲେ ପ୍ରେମିକାଙ୍କ ପରିବାର ଲୋକ

ବେଙ୍ଗାଲୁର: ବେଙ୍ଗାଲୁରରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମ ସଂପର୍କକୁ ବିରୋଧ କରି ଜଣେ ଯୁବକଙ୍କୁ ନିଆଁ ଲଗାଇ ଦେଇଛନ୍ତି ତାଙ୍କ ପ୍ରେମିକାଙ୍କ ପରିବାର ଲୋକ। ସଂପର୍କୀୟା ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିବାରୁ ତାଙ୍କୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରୁଥିଲେ ଓ ଶେଷରେ ସେମାନେ ଯୁବକଙ୍କୁ ଅପହରଣ କରି ନେଇ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବେଙ୍ଗାଲୁରୁର ରାଜାରାଜେଶ୍ୱରୀ ନଗରର ଜଣେ ୧୮ ବର୍ଷର  ଯୁବକଙ୍କର ତାଙ୍କ ଦୂର ସମ୍ପର୍କୀୟା ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା। ସେହି କାରଣରୁ ଯୁବତୀଙ୍କ ପରିବାର ଲୋକ ଯୁବକଙ୍କୁ ଅପହରଣ କରି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ତାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେ ଏବେ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୀଡିତ ଯୁବକଙ୍କ ନାମ ଶଶାଙ୍କ ବୋଲି ଜଣାପଡିଛି। ଶଶାଙ୍କ ଏସିଏସ୍ କଲେଜର ଇଞ୍ଜିନିୟରିଂ ପ୍ରଥମ ବର୍ଷର ଛାତ୍ର। ଶଶାଙ୍କଙ୍କୁ ଅପହରଣ କରି ସହର ବାହାରେ ନେଇ ତାଙ୍କ ଶରୀରରେ ନିଆଁ ଲଗାଇ ଦିଆଯାଇଥିଲା ।କୁମ୍ବାଲାଗୋଡୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏ ସଂପର୍କରେ ପୀଡିତଙ୍କ ବାପା ରଙ୍ଗନାଥ କହିଛନ୍ତି ଯେ ଯେଉଁ ଝିଅ ସହିତ ଶଶାଙ୍କଙ୍କର ପ୍ରେମ ସଂପର୍କ ଥିଲା ସେ ତାଙ୍କର ଦୂର ସମ୍ପର୍କୀୟା। ଗତ ଦୁଇ ସପ୍ତାହ ମଧ୍ୟରେ ଶଶାଙ୍କ ଏବଂ ସେ ଝିଅ ନିଜ ଘରେ ପରସ୍ପରଙ୍କୁ ଭେଟିଥିଲେ। ଏ ବିଷୟରେ ଝିଅଟିର ପରିବାର ଲୋକ ଜାଣିବା ପରେ ସେମାନେ ଅସନ୍ତୁଷ୍ଟ ହୋଇଥିଲେ। ସେମାନେ ଶାଶଙ୍କଙ୍କୁ ଚେତାବନୀ ଦେଇ ଦୁହିଁଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ରଙ୍ଗନାଥଙ୍କ କହିବାନୁସାରେ, ଶଶାଙ୍କ ନିଜକୁ ଯୁବତୀଙ୍କଠାରୁ ଦୂରେଇ ରଖିଥିଲେ। ଶନିବାର ଦିନ ଶଶାଙ୍କ କଲେଜରୁ ଘରକୁ ଫେରୁଥିବାବେଳେ ଝିଅର ପରିବାରରୁ ୭ ଜଣ ସଦସ୍ୟ ଏକ କାରରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ। ସେମାନେ ତାଙ୍କୁ ଟେକି ନେଇ ନିଆଁ ଲଗାଇ ଦେଇଥିଲେ।

Spread the love